ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାତ୍ୟା ୟାସ୍ ଅତିକ୍ରମ କରିବାପରେ ଏବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାମାନଙ୍କରେ ଚାଲିଛି ଗଛ କାଟ, ରାସ୍ତା ମରାମତି, ଇଲେକ୍ଟ୍ରି ସଜଡ଼ା କାମ। ଏଥିସହ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଫନି ତୁଳାନାରେ ବାତ୍ୟା ୟାସ୍‌ର ବେଗ କମ୍ ରହିଥିଲେ ମଧ୍ୟ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଏହିସବୁ ଅଞ୍ଚଳର ଅନେକ ଗାଁ ଏବେବି ଜଳ ଘେରରେ ରହିଛି।ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ରାଜ୍ୟରେ କରୋନା ବିପଦ ଟଳିନଥିବାରୁ ସମସ୍ତେ ମାସ୍କ ପିନ୍ଧି, ଗାଇଡଲାଇନ୍ ମାନି ଆଶ୍ରୟସ୍ଥଳୀରେ ରହିଥିବା ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।ବାଲେଶ୍ୱର ଜିଲ୍ଲାର ପାଖାପାଖି ୫୦ଟି ଗାଁ ଏବେବି ଜଳମଗ୍ନ ହୋଇରହିଛି। ବୁଧବାର ୟାସ୍‌ର ପ୍ରଭାବରେ ସମୁଦ୍ରରେ ଜୁଆର ଆସିବା ଫଳରେ ଲୁଣି ବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ପଶିଯାଇଥିଲା। ପ୍ରଶାସନ ତରଫରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କିନ୍ତୁ ଗାଁରେ ଲୁଣି ଜଳ ପଶିଥିବାରୁ ଲୋକଙ୍କୁ ପିଇବା ଉପଯୋଗୀ ପାଣି ମିଳିବା କଷ୍ଟ ହେଉଛି।ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ବଡ଼ ବଡ଼ ଗଛମାନ ଉପୁଡ଼ି ରାସ୍ତା ଘାଟ ବନ୍ଦ ହୋଇଯାଇଥିବାବେଳେ, ଘର ମଧ୍ୟ ଭାଙ୍ଗି ଯାଇଛି। ଓଡ୍ରାଫ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗଛ କାଟିବା ସହ ଲୋକମାନଙ୍କ ନିକଟରେ ରିଲିଫ ଓ ପାନୀଜ ଜଳ ପହଞ୍ଚାଉଛି ଓଡ୍ରାଫ ଟିମ୍।

ଅନ୍ୟପଟେ ଉଭୟ କରୋନା ଓ ବାତ୍ୟା ସଙ୍କଟ ସମୟରେ ଲୋକମାନଙ୍କ ଜୀବନକୁ ପ୍ରଧାନ୍ୟ ଦେଇ କାମ ଜିଲ୍ଲାମାନଙ୍କରେ କାର୍ଯ୍ୟ କରୁଥିବା ଅଧିକାରୀ, ବିଡିଓ, ପଞ୍ଚାୟତସ୍ତରର ଅଧିକାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗାଁମାନଙ୍କରେ ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment