ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ୟାସ୍ ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ଶିଶୁ। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ ଉପକୂଳବର୍ତ୍ତୀ ୧୦ଜିଲ୍ଲାରୁ ପ୍ରାୟ ୪୫୫୫ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧୦୭ଜଣ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗର୍ଭବତୀ, ରୋଗୀ ଓ ଅସହାୟ ବ୍ୟକ୍ତିମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା ଅନୁସାରେ ୧୦ଟି ଜିଲ୍ଲାରୁ ପ୍ରାୟ ୭ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପରିସ୍ଥିତି ଭିତରେ ମଙ୍ଗଳବାର ଦିନ ୪୦୦ଶିଶୁ ସୁରକ୍ଷିତ ଜନ୍ମ ନେଇଥିବାବେଳେ, ବାତ୍ୟା ହେବା ଦିନ ଆଉ ୩୫୦ ଶିଶୁ ଜନ୍ମ ନେଇଥିଲେ। ସମୁଦାୟ ୭୫୦ଶିଶୁ ବାତ୍ୟା ସମୟରେ ସୁରକ୍ଷିତ ଭାବରେ ଜନ୍ମ ନେଇଛନ୍ତି। ଏବେ ଉଭୟ ମା’ ଓ ନବଜାତ ଶିଶୁ ସୁରକ୍ଷିତ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।ମେ’୨୬ରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ୟାସ୍। ତାହାର ପରବର୍ତ୍ତୀ ପ୍ରଭାବ ଏବେ ମଧ୍ୟ ଜିଲ୍ଲାଗୁଡ଼ିକରେ ଦେଖିବାକୁ ମିଳୁଛି। ବାତ୍ୟା ସମୟରେ ପ୍ରବଳ ବର୍ଷା କାରଣରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଏଥିସହ ବୈତରଣୀ ନଦୀରେ ଜଳସ୍ତର ବଢ଼ି ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳ ପାଣି ଘେରରେ ରହିଛି। ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇ ତଳିଆ ଅଞ୍ଚଳର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍‌ଆରସି।

Comment