ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବାତ୍ୟା ପରେ ଏବେ ବନ୍ୟା ସଙ୍କଟ ଦେଖାଦେଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ୟାସ୍ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟଠାରେ ଏହା ବିପଦ ସଙ୍କେତ ଟପିଥିବା ସୂଚନା ରହିଛି।

ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୪୯.୧୬ ମିଟର ଥିବାବେଳେ ବର୍ତ୍ତମାନ ସେଠାରେ୫୦.୮୮ ମିଟରରେ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ମଧ୍ୟ ସେ କହିଛନ୍ତି।ଅନ୍ୟପଟେ ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଫଳରେ ଝାଡ଼ଖଣ୍ଡର ଗାଲିଡିହ ବ୍ୟାରେଜରୁ ବନ୍ୟାଜଳ ନିଷ୍କାସନ କରିବାପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ସମୟରେ ଜାମଶୋଳାଘାଟଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା।ବାଲିଆପାଳର କୁଡ଼ମାନସିଂହ, ଚୋବଧୁରୀକୁଡ଼, ଜାମକୁଣ୍ଡା, ସୁଙ୍ଘମୁହଁ ଓ ଭୋଗରାଇର ୧୫ଟି ପଞ୍ଚାୟତର ୮୦ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଇଛି। ନଦୀକୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ସେପଟେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ୟାସ୍ ପରବର୍ତ୍ତୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଧିକ ପ୍ରଭାବିତ ହୋଇଛି। ସେପଟେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ଏବେବି ପାଣି ଘେରରେ ରହିଛି।

Comment