ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ୟାସ୍‌ ପ୍ରଭାବରେ ଏବେବି ଓଡ଼ିଶାର ଅନେକ ଅଞ୍ଚଳ ଜଳ ଘେରରେ ରହିଛି। ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାମାନଙ୍କର ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ଉପୁଜିଛି। ପ୍ରଥମେ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା କାରଣରୁ ଶାଖା ନଦୀମାନଙ୍କରେ ଜଳ ସ୍ତର ବଢ଼ି ଯାଜପୁର, କୋରେଇ, ଦଶରଥପୁର ସମେତ ତିନୋଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି। ଆଖୁଆପଦାଠାରେ ନଦୀ ଜଳ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି।

ୟାସ୍‌ ଉପକୂଳ ଅତିକ୍ରମ କରିବାର ତିନି ଦିନ ହୋଇଯାଇଥିଲେ ବି ଏବେ ପର୍ଯ୍ୟନ୍ତ ତା’ର ପରବର୍ତ୍ତୀ ପ୍ରଭାବ ଜିଲ୍ଲାମାନଙ୍କରେ କମିନାହିଁ। ପ୍ରବଳ ବର୍ଷା ହେବା କାରଣରୁ ସବୁଠାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି। ଯାଜପୁର ଜିଲ୍ଲା ଦଶରଥପୁରଠାରେ ବୈତରଣୀ ନଦୀର ଜଳସ୍ତର ୨ମିଟର ଉପରେ ପ୍ରବାହିତ ହେଉଛି। ଫଳରେ ତଳିଆ ଅଞ୍ଚଳ ବା ଗାଁଗୁଡ଼ିକ ଜଳମଗ୍ନ ହୋଇଯାଇଛି। ସେହିପରି ଯାଜପୁର ଓ କୋରେଇର ମଧ୍ୟ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି।ଅନ୍ୟପଟେ ଆଖୁପଦାର ଜଳ ସ୍ତର ଏବେ ସାମାନ୍ୟ କମିଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର। ସେ କହିଛନ୍ତି, “ପୂର୍ବରୁ ଆଖୁଆପଦାରେ ବିପଦ ସଙ୍କେତ ୧୮.୯୮ମିଟର ଥିବାବେଳେ, ବର୍ତ୍ତମାନ ଏହା ୧୮.୭୮ମିଟରରେ ଜଳ ପ୍ରବାହିତ ହେଉଛି। ଆଉ ତିନିରୁ ଚାରି ଘଣ୍ଟା ମଧ୍ୟରେ ଜଳସ୍ତର କମିବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ଜିଲ୍ଲାରେ କୌଣସି ଜନଜୀବନ ହାନୀ ଘଟିନାହିଁ। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଣି କମିବାପରେ ସେମାନେ ନିଜ ଘରକୁ ଫେରିବେ।”

ସେହିପରି ଭାବରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାର ଅନେକ ଗାଁ ଏବେବି ପାଣି ଘେରରେ ରହିଛି। କୌଣସି ବଡ଼ ଧରଣର ବନ୍ୟା ହୋଇନଥିଲେ ମଧ୍ୟ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇ, ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗୁଆ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା।

Comment