ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଉପକୂଳ ଓଡ଼ିଶାରେ ‘ୟାସ୍’ ତାଣ୍ଡବ ରଚିବା ପରେ ଏବେ ବାତ୍ୟା ପୀଡିତଙ୍କ ପାଇଁ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ପ୍ରଭାବରେ ପାଣିଘେରରେ ଥିବା ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ସମସ୍ତ ମୁଖ୍ୟ ରାସ୍ତାରେ ଚଳପ୍ରଚଳକୁ ସ୍ୱାଭାବିକ କରାଯିବ। ସେହିପରି ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ ଯୋଗାଣ କାର୍ଯ୍ୟ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ବାତ୍ୟା ପ୍ରଭାବରେ ସମୁଦ୍ର ପାଣି ମାଡ଼ି ଆସିଥିବାରୁ ଭଦ୍ରକ ଜିଲ୍ଲାରେ ୪୪ଟି ଓ ବାଲେଶ୍ୱର ଜିଲ୍ଲାରେ ୮୪ଟି ଗାଁ ଏବେ ଜଳବନ୍ଦୀ ହୋଇ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସେହି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ୍ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବାତ୍ୟା ପାଇଁ ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଥିଲା, ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବାତ୍ୟା ଆଶ୍ରୟସ୍ଥଳୀରେ କୋଭିଡ୍ ଗାଇଡଲାଇନ୍ ପାଳନ ହେଉଥିଲେ ମଧ୍ୟ କିଛି ସ୍ଥାନରେ ସଂକ୍ରମଣ ଆଶଙ୍କା ଥାଇପାରେ। ସେଥିପାଇଁ ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିବା ଲୋକମାନଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Comment