ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରୁଥିବା ସମୟରେ ପାଣି ସ୍ରୋତରେ ଓଲଟି ପଡ଼ିଛି ଓଡ୍ରାଫ ବୋଟ। ଏକ ରବର ବୋଟ ଜରିଆରେ ହାତୀକୁ ଉଦ୍ଧାର କରାଯାଉଥିଲା। ତେବେ ହାତୀକୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି, ଏଥିସହ ଏବେ ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର ମଧ୍ୟ କରାଯାଉଛି। ଉକ୍ତ ବୋଟରେ ଥିବା ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଶୁକ୍ରବାର ସକାଳୁ ଏକ ଦନ୍ତା ମହାନଦୀର ମୁଣ୍ଡଳୀଠାରେ ଫସି ଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ସମତେ ଓଡ୍ରାଫ ଟିମ ମଧ୍ୟ ପହଞ୍ଚିଥିଲେ। ତେବେ ଦୀର୍ଘ ୮ ଘଣ୍ଟାର ଉଦ୍ୟମ ପରେ ହାତୀଟି ଉଦ୍ଧାର ନହେବାରୁ ଏକ ବୋଟ ସାହାଯ୍ୟରେ ଓଡ୍ରାଫ ଟିମ ପାଣି ଭିତରକୁ ଯାଇଥିଲେ। ସେମାନେ ହାତୀଟିକୁ ଘଉଡ଼ାଇ କୂଳକୁ ଛାଡ଼ୁଥିବା ସମୟରେ ଅଚାନକ ପାଣିର ପ୍ରଖର ସ୍ରୋତରେ ଓଡ୍ରାଫ ବୋଟଟି ଓଲଟି ପଡ଼ିଥିଲା। ଫଳରେ ବୋଟରେ ଥିବା ସମସ୍ତ କର୍ମଚାରୀ ପାଣିରେ ବୁଡ଼ିଯାଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ କର୍ମଚାରୀମାନେ ଲାଗିପଡ଼ିଛନ୍ତି।

ସକାଳ ସମୟରେ ପ୍ରାୟ ୧୭ଟି ହାତୀ ନଦୀ ପାର ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୭ଟି ହାତୀ ପାଣିର ସୁଅରେ ଭାସି ଯାଇଥିଲେ। ସେହି ୭ଟି ହାତୀଙ୍କ ମଧ୍ୟରୁ ୬ଟି ହାତୀ ଭାସି ଯାଇ ଆଠଗଡ ରେଞ୍ଜର ନୂଆଶାସନ ଗାଁ ଆନିକଟରେ ଲାଗିଥିଲେ। ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଆଉ ଗୋଟିଏ ହାତୀ ମହାନଦୀର ମୁଣ୍ଡଳୀ ବ୍ୟାରେଜଠାରେ ଫସି ରହିଛି। ଯାହାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦମକଳ ବାହିନୀ ଏବଂ ଓଡ୍ରାଫ ଟିମ ଲାଗିପଡ଼ିଛନ୍ତି।

ହାତୀଟିକୁ ଖାଦ୍ୟ ଦେଖାଇ କୂଳକୁ ଆଣିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର କୂଳରେ ହାତୀକୁ ଦେଖିବା ପାଇଁ ଲୋକଙ୍କ ଗହଳି ଥିବାରୁ ହାତୀଟି ପୁଣିଥରେ ନଦୀ ଭିତରକୁ ଚାଲିଯାଇଥିଲା। ଶେଷରେ କୌଣସି ଉପାୟ ନପାଇ ଓଡ୍ରାଫ ଟିମ ହାତୀଟିକୁ କୂଳକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି।

ତଥ୍ୟ ଅନୁସାରେ ପ୍ରାୟ ୨୫ ଜଣ ବନ ବିଭାଗ କର୍ମଚାରୀ, ଆଠଗଡ଼ ପୋଲିସର ଗୋଟିଏ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

Comment