ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜାରି ରହିଛି ବନ୍ୟା ପରିସ୍ଥିତି। ବନ୍ୟା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ୧୦ଟି ଜିଲ୍ଲା। ଅନେକ ଘର ବନ୍ୟା ପାଣିରେ ବଡ଼ି ରହିଥିବାବେଳେ ଏବେବି ଜଳଘେରରେ ପସିଛନ୍ତି ଅନେକ। ଏହାରି ମଧ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା ଚାଲିଛି। ବୁଧବାର ଦିନ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସଆରସି ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ୨ ଜଣ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ବିଭିନ୍ନ ଅଞ୍ଚଳରେ ଉପୁଜିଥିବା ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।

ରାଜ୍ୟରେ ମଧ୍ୟମ ଧରଣ ବନ୍ୟା ହୋଇଛି: ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବୈଠକ ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟରେ ମଧ୍ୟମ ଧରଣ ବନ୍ୟା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଭାଗ ବନ୍ୟା ପ୍ଲାବିତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ସୁରକ୍ଷା ତଥା ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯେପରି ଜଣେ ବି ବ୍ୟକ୍ତି ମୃତାହତ ନହୁଅନ୍ତି ସେଥିପ୍ରତି ସଜାଗ ରହିବାକୁ କୁହାଯାଇଛି।

ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ପରିବାରକୁ ସ୍ଥାନୀୟ ବହୁମୁଖୀ ଆଶ୍ରୟସ୍ଥଳ, ସ୍କୁଲ, କଲେଜ ଓ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର କରାଯାଉଛି। ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ମଧ୍ୟ ବନ୍ୟା ପ୍ରଭାବିତଙ୍କୁ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।

ଆଲୋଚନା ପରେ ଗେନ୍ଦ ବନ୍ଦ ଉପରେ ନିଷ୍ପତ୍ତି ହେବ: ଏସଆରସି

ବନ୍ୟା ସ୍ଥିତିକୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ମଙ୍ଗଳବାର ଦିନ ରାଜୁଆ ଓ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଥିବା ବେଳେ ଆଜି କୁଶଭଦ୍ରା ଓ ଜଗତସିଂହପୁର କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ନିକଟ ତେରମାଣଠାରେ ଘାଇ ସୃଷ୍ଟି ହୋଇଥିବା ଏସଆରସି କହିଛନ୍ତି। ଅନ୍ୟ କିଛି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା କୁହାଯାଉଥିଲେ ମଧ୍ୟ ତାହ ଘାଇ ନୁହେଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି। ବ୍ୟାକ୍ ଓ୍ଵାଟର୍ ପ୍ରଭାବରେ କିଛି ସ୍ଥାନରେ ଘାଇ ଭ୍ରମ ସୃଷ୍ଟି ହୋଇଥିବା ସେ କହିଛନ୍ତି।

ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ସମ୍ପର୍କରେ ମଧ୍ୟ ଏସଆରସି ସୂଚନା ଦେଇଛନ୍ତି। ମଙ୍ଗଳବାର ୧୪ଟି ଗେଟ୍ ଖୋଲାଯାଇ ମୋଟ ୪୦ଟି ଗେଟ୍ ଦେଇ ଜଳ ଛଡ଼ାଯାଉଛି। ଆଲୋଚନା ପରେ ଗେଟ୍ ଖୋଲିବା କିମ୍ବା ବନ୍ଦ କରିବା ଦିଗରେ ନିଷ୍ପତ୍ତି ନିଆଯିବ ଏସଆରସି କହିଛନ୍ତି।

ମୁଣ୍ଡଳିରେ ଜଳ ପ୍ରବାହ କମୁଛି

କଟକ ମୁଣ୍ଡଳି ନିକଟ ମହାନଦୀରେ ଜଳ ପ୍ରବାହ କମୁଛି। ଏଠାରେ ପ୍ରାୟ ୧୨ ଘଣ୍ଟା ‘ପିକ୍ ଫ୍ଲଡ଼୍ ‘ ରହିଥିଲା। ମଙ୍ଗଳବାରଠାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ୧୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଆଜି ତାହା ୧୧ ଲକ୍ଷକୁ ଖସିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏଠାରେ ଜଳପ୍ରବାହ ୯ଲକ୍ଷ କ୍ୟୁସେକୁ ହ୍ରାସ ପାଇବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ପୂର୍ବରୁ ଘଣ୍ଟା ପ୍ରତି ୮ ହଜାର କ୍ୟୁସେକ ପାଣି କମୁଥିବେଳେ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ ହଜାର କ୍ୟୁସେକ ପାଣି କମୁଛି। ଆସନ୍ତା ୩ରୁ ୪ଘଣ୍ଟା ମଧ୍ୟରେ ୨୫ ହଜାର କ୍ୟୁସେକ ପାଣି କମିବ ସେ କହିଛନ୍ତି।

ବୈଠକରେ ସମ୍ଭାବ୍ୟ ଲଘୁଚାପକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୩ ଦିନ ରାଜ୍ୟରେ ବନ୍ୟାସ୍ଥିତି ଜାରି ରହିପାରେ ବୋଲି ଏସଆରସି କହିଛନ୍ତି। ବୈତରଣୀ ଅବବାହିକାରେ ଥିବା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ବିଶେଷ ପ୍ରଭାବିତ ହେବାର ସମ୍ଭବନା ରହିଛି। ତେବେ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ନଥିବା ସେ ସୂଚନା ଦେଇଛନ୍ତି।

ପାଣି କମିବା ପରେ କୂଳ ଖାଇବ

ପାଣି କମିବା ପରେ କୂଳ ଖାଇବା ସମ୍ଭାବନା ରହିଛି। ତେଣୁ କଟକର ନିଆଳି, ଜଗତସିଂହପୁର, ପୁରୀ, ନୟାଗଡ଼ ଏବଂ ଅନୁଗୁଳ ଆଦି ଜିଲ୍ଲାକୁ ସ୍ଵତନ୍ତ୍ର ଟିମ୍ ପଠାଯାଇଛି। ପାଣି କମୁଥିବା ଅଞ୍ଚଳରେ ପାନୀୟଜଳ ଯେପରି ଦୂଷିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ଅବଗତ କରାଯାଇଛି। ଗୋଖାଦ୍ୟ ସହ ଲୋକଙ୍କୁ ରିଲିଫ୍ ବଣ୍ଟନ ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।

କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି, କିନ୍ତୁ ରାସ୍ତା କଟିଛି କି ନାହିଁ ଜଣାପଡ଼ି ନାହିଁ। ପାଣି କମିଲେ ତାହାର ଅନୁଧ୍ୟାନ ପୂର୍ବକ ମରାମତି କରାଯିବ ବୋଲି ଏସଆରସି କହିଛନ୍ତି।

ଉଦ୍ଧାର କାର୍ଯ୍ୟ ଜାରି

ଅନ୍ୟପଟେ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ୟା ଜଳ ପରିଚାଳନା ଓ ପ୍ରଭାବିତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଟକରେ ଗତକାଲି ୫୫୮ ଜଣ ସ୍କୁଲ ପିଲାଙ୍କ ସମେତ ପ୍ରାୟ ୭୦୦ ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି।

ସେହିପରି ଗତ ରାତିରେ ଫସିରହିଥିବା ଅନ୍ୟ ୩୦ ଜଣଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଦାର କରିଛନ୍ତି। କଟକ ଆଠଗଡ଼ରେ ବାପପୁଅ ଛେଳି ଚରାଇବାକୁ ଯାଇ ମହାନଦୀ ଟାପୁରେ ଫସିଯାଇଥିଲେ। ୪ ଦନିପରେ ଖବର ପାଇ ଓଡ୍ରାଫ୍ ଟିମ୍ ଉଭୟଙ୍କୁ ଉଦ୍ଧାର କରିଛି।

Tags: #SRC #pradeep jena #Pramila Mallick # flood in Remove

Comment