ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ମଙ୍ଗଳବାର ଦିନ ଡଙ୍ଗା ଓଲଟି ମୋଟ ୫ ଜଣ ନିଖୋଜ ହୋଇଥିଲେ। ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଶୁକ୍ରବାର ଦିନ ଅନ୍ୟ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଗୁରୁବାର ଦିନ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ। ସନ୍ଧ୍ୟା ସୁଦ୍ଧା ଜଣେ ମହିଳାଙ୍କର ମୃତଦେହ ଠାବ କରାଯାଇଥିଲା। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା।

ଶୁକ୍ରବାର ସକାଳୁ ପୁଣି ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଦୀର୍ଘ ସମୟ ଖୋଜାଖୋଜି ପରେ ଶୁକ୍ରବାର ଅପରାହ୍ଣରେ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ନବୀନା ଆରଲାବ, ପୁଷ୍ପାଞ୍ଜଳି ଆରଲାବ, ଶାନ୍ତି ଆରଲାବ ଓ ଶଶିରେଖା ଆରଲାବ।

ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାନସିଂ ଗାଁର ୫ ଜଣ ଲାଲମଣି ଶିଶା, ନବୀନା ଆରଲାବ, ପୁଷ୍ପାଞ୍ଜଳି ଆରଲାବ, ଶାନ୍ତି ଆରଲାବ ଓ ଶଶିରେଖା ଆରଲାବ ବଡ଼େଲା ଗ୍ରାମକୁ ଯାଉଥିଲେ। ଦୁଇ ଗାଁ ମଝିରେ ଗୋଟିଏ ନଦୀ ପଡ଼ୁଥିବାରୁ ନଦୀ ପାର ହେବାକୁ ସମସ୍ତେ ଡଙ୍ଗାରେ ବସିଥିଲେ। କିନ୍ତୁ କିଛି ବାଟ ଯିବା ପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଗୁରୁବାର ଦିନ ତାନସିଂ ନଦୀରେ ଗୋଟିଏ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହା ପରେ ଡଙ୍ଗା ବୁଡ଼ି ୫ ଜଣ ନିଖୋଜ ହୋଇଥିବା ଜଣାପଡ଼ିଥିଲା।

Tags: #Koraput #BoatAccident #Missing #DeadbodyRescued #TansighRiver #Odisha

Comment