ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜୟନ୍ତ ପଣ୍ଡା ଆଗାମୀ ଦିନରେ କେଉଁ ଦଳରୁ ନୂଆ ଇନିଂସ ଆରମ୍ଭ କରିବେ? ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ଶେଷ ହେବା ପରେ ଏବେ ସମସ୍ତଙ୍କର ନଜର ବୈଜୟନ୍ତ ପଣ୍ଡାଙ୍କ ଉପରେ। ବୈଜୟନ୍ତ କ’ଣ କରିବେ? କେବେ ସାଂସଦ ପଦରୁ ଇସ୍ତଫା ଦେବେ? ସେ ବିଜେପିରେ ଯୋଗଦେବେ ନା ନିଜେ ଏକ ଆଞ୍ଚଳିକ ଦଳ ଗଢ଼ିବେ? ଏମିତି ପ୍ରଶ୍ନ ଏବେ ରାଜନୀତି ପର୍ଯ୍ୟବେକ୍ଷକଙ୍କ ମନରେ ଉଙ୍କି ମାରୁଛି।

ବୈଜୟନ୍ତ ଏବେ ବିଜେପି ଯିବା ଅପେକ୍ଷା ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି। କାରଣ ବୈଜୟନ୍ତଙ୍କର ବିଜେଡି ସହ ଶତ୍ରୁତା ରହିଛି। ଯେଉଁଥିପାଇଁ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେପି ଯାଇ ବିଜେଡିକୁ ଟକ୍କର ଦେବା ବୈଜୟନ୍ତଙ୍କ ପକ୍ଷେ କଷ୍ଟସାଧ୍ୟ। ଏଣୁ ନିଜେ ଗୋଟିଏ ଦଳ ଗଢ଼ି ବିଜେଡି ଭୋଟ ବ୍ୟାଙ୍କ ହ୍ରାସ କରିବାକୁ ବୈଜୟନ୍ତଙ୍କ ଶିବିରରେ ଆଲୋଚନା ହେଉଛି।

ବାପା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ଶେଷ ହେବା ପରେ ବୈଜୟନ୍ତ ଦିଲ୍ଲୀ ଯାଇଛନ୍ତି। ସୋମବାର ସେ କିଛି ସମର୍ଥକଙ୍କୁ ନେଇ ଫ୍ଲାଇଟରେ ଦିଲ୍ଲୀ ଯାତ୍ରା କରିଥିବା ଜଣାପଡ଼ିଛି। ଘନିଷ୍ଠ ସମର୍ଥକମାନଙ୍କ ସହ ସେ ଦିଲ୍ଲୀରେ ଆଲୋଚନା କରି ନିର୍ବାଚନ କମିଶନଙ୍କ ଅଫିସରେ ନୂଆ ଦଳ ପାଇଁ ରେଜିଷ୍ଟ୍ରେସନ କରିପାରନ୍ତି ବୋଲି ଆଲୋଚନା ହେଉଛି।

ବୈଜୟନ୍ତ ସମର୍ଥକଙ୍କୁ ନେଇ ଦିଲ୍ଲୀ ଯିବା ପରେ ସୋସିଆଲ ମିଡିଆରେ ଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି ବୈଜୟନ୍ତ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ଉଦ୍ୟମ କରୁଛନ୍ତି। କଂଗ୍ରେସ, ବିଜେପି ଏବଂ ବିଜେଡିରେ କୋଣଠେସା ହୋଇ ରହିଥିବା ନେତାଙ୍କୁ ଏହି ନୂଆ ଦଳରେ ସାମିଲ କରିବାକୁ ବୈଜୟନ୍ତ ଓ ତାଙ୍କ ସମର୍ଥକ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ବୈଜୟନ୍ତ ସମର୍ଥକଙ୍କୁ ନେଇ ଦିଲ୍ଲୀ ଯିବା ପଛରେ ଆଉ ଏକ କାରଣ ରହିଥିବା ରାଜନୀତି କରିଡରରେ ଆଲୋଚନା ହେଉଛି। ସାଂସଦ ପଦରୁ ଇସ୍ତଫା ଦେଇ ସେ ବିଜେପିର କେନ୍ଦ୍ର ନେତାମାନଙ୍କୁ ଦେଖା କରିବେ ବୋଲି ଆଉ ଗୋଟିଏ ଗୋଷ୍ଠୀ ମତ ଦେଉଛନ୍ତି। ତେବେ ବୈଜୟନ୍ତ ଦଳ ଗଢ଼ିବେ ନା ବିଜେପିକୁ ଯିବେ ତାହା ଅପେକ୍ଷା କରି ଦେଖିବାର କଥା।

ନୂଆ ଦଳ ଗଠନକୁ ନେଇ କାହିଁକି ଚର୍ଚ୍ଚା?

ଅତୀତରେ ଯେଉଁ ବରିଷ୍ଠ ନେତାମାନେ ବିଜେଡି ଛାଡ଼ିଛନ୍ତି ଏବଂ ଯେଉଁମାନଙ୍କୁ ନବୀନ ଦଳରୁ ବିଦା କରିଛନ୍ତି ସେମାନେ ଆଞ୍ଚଳିକ ଦଳ ଗଠନ କରିଥିବାର ନଜିର ରହିଛି। ୨୦୦୦ ମସିହାରେ ବିଜୟ ମହାପାତ୍ର  ବିଜେଡି ଛାଡ଼ିବା ପରେ ଓଡ଼ିଶା ଗଣ ପରିଷଦ ନାମରେ ଦଳ ଗଠନ କରିଥିଲେ। ବିଜେଡିକୁ ଟକ୍କର ଦେବା ପାଇଁ ତାଙ୍କର ଲକ୍ଷ୍ୟ ରହିଥିଲା। ହେଲେ ଏହି ଦଳ ବିଭିନ୍ନ କାରଣ ପାଇଁ ତିଷ୍ଠିପାରି ନଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ବିଜେଡି ଛାଡ଼ିବା ପରେ ସମତା କାନ୍ତି ଦଳ ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି। ଏହି ଦଳ ସବୁବେଳେ ବିଜେଡି ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଆସିଛି। ୨୦୧୪ରେ ଏହି ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ସଫଳ ହୋଇ ନଥିଲା।

୨୦୧୨ ମେ ୨୯ ମିଡନାଇଟ ଅପରେସନ ପରେ ବିଜେଡିରୁ ବହିଷ୍କାର ହେବା ପରେ ପ୍ୟାରୀମୋହନ ମହାପାତ୍ର ଏକ ଦଳ ଗଠନ କରିଥିଲେ। ଏହାର ନାଁ ରଖିଥିଲେ ଓଡ଼ିଶା ଜନ ମୋର୍ଚ୍ଚା। ୨୦୧୪ରେ ଜନମୋର୍ଚ୍ଚା ଅଧିକାଂଶ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା।

ବିଜୟ-ବ୍ରଜ-ପ୍ୟାରୀ ଯେଉଁ ରାସ୍ତାରେ ଯାଇଥିଲେ ଏବେ ସେହି ରାସ୍ତାରେ ବୈଜୟନ୍ତ ପାଦ ରଖିବାକୁ ଯାଉଛନ୍ତି। ଉପରୋକ୍ତ ତିନି ନେତାଙ୍କ ଦଳ ଓଡ଼ିଶା ରାଜନୀତିରେ ତିଷ୍ଠି ନପାରିବାର ବଡ଼ କାରଣ ହେଉଛି ଟଙ୍କା। ହେଲେ ବୈଜୟନ୍ତଙ୍କ ପାଖରେ ଏହି ଅସୁବିଧାଟି ରହିବ ନାହିଁ। ହେଲେ ଗୋଟିଏ ବଡ଼ ଅସୁବିଧା ହେଉଛି ବୈଜୟନ୍ତ ଯଦି ଦଳ ଗଢ଼ନ୍ତି ତାହାଲେ ତାଙ୍କୁ ଓଡ଼ିଶାବସୀ କେତେଦୂର ଗ୍ରହଣ କରିବେ?

Comment