ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶନିବାରଦିନ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଶନିବାରଦିନ ପଦକ୍ଷେପ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି, ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ।

ଭକ୍ତମାନେ ସେବାୟତଙ୍କୁ ଦାନ ନ ଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ ଏବଂ ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ଗ୍ରହଣ କରିପାରିବେ।

ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସୁପ୍ରିମ କୋର୍ଟଙ୍କ ରିଟ୍ ପିଟିସନ ୬୪୯/୨୦୧୮ର ରାୟ ଅନୁଯାୟୀ, ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କଠାରୁ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ଦାନ ଅର୍ଥ, ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି ବା ବସ୍ତୁ ଶ୍ରୀମନ୍ଦିରର କୌଣସି ସେବକ ଗ୍ରହଣ କରିପାରିବେ ନାହିଁ।

ତେଣୁ ଭକ୍ତମାନଙ୍କୁ ଅନୁରୋଧ ସେମାନଙ୍କ ଦାନ ସେମାନେ ହୁଣ୍ଡି, ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା କାର୍ୟ୍ୟାଳୟ ଓ ସୂଚନା କେନ୍ଦ୍ରଠାରେ ପ୍ରଦାନ କରି ରସିଦ ଗ୍ରହଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏସଂକ୍ରାନ୍ତ ଆଦେଶକୁ ସମସ୍ତ ନିଯୋଗଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେହିପରି ବିଗତ ୨୩ ବର୍ଷ ଧରି ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ସୂତ୍ରରେ ମିଳିଥିବା ମୋଟ୍ ୧୫ କେଜିର ସୁନାକୁ ଶୁକ୍ରବାରଦିନ ଏସ୍‌ବିଆଇ ଲକର୍‌ରେ ରଖାଯାଇଛି।

ଶ୍ରୀମନ୍ଦିର ପରିଚାଳନା ନେଇ ଶୁକ୍ରବାରଦିନ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା, ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଯେପରି ଭକ୍ତ ହଇରାଣ ନହୁଅନ୍ତି ଓ ଶ୍ରୀମନ୍ଦିରକୁ ଆସୁଥିବା ଅର୍ଥର ହିସାବ ମିଳୁ ନ ଥିବା ନେଇ ମୃଣାଳିନୀ ବାରିକ ନାମକ ଜଣେ ମହିଳା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଋଜୁ କରିଥିଲେ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ଗଠିତ ବେଞ୍ଚ ଗତକାଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ହେବ।

“ସୁପ୍ରିମକୋର୍ଟଙ୍କ ଆଦେଶକୁ ସର୍ବଦା ରାଜ୍ୟ ସରକାର ସର୍ବଦା ସମ୍ମାନ ଦେଇଆସିଛନ୍ତି। ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ”, କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

Comment