ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଜୁନ ୧୪ରେ ଋଷିଆରେ ଆରମ୍ଭ ହେବାକୁ ଯାଉଥିବା ୨୧ତମ ଫିଫା ଓ୍ଵାଲର୍ଡ କପ୍ ମହାସମରରେ କିଏ ଚାମ୍ପିଅନ୍ ହେବ ଏକ ବଧିର ବିଲେଇ ଭବିଷ୍ୟତବାଣୀ କରିବ।
ବିଶ୍ୱକପ୍ ଫୁଟବଲ୍ ସମୟରେ ଭବିଷ୍ୟବାଣୀ କରିଥାନ୍ତି ବିଭିନ୍ନ ଜୀବଜନ୍ତୁ। ୨୦୧୦ ବିଶ୍ୱକପ ସମୟରେ ପଲ୍ ନାମକ ଏକ ଅକ୍ଟୋପସ ଭବିଷ୍ୟବାଣୀ କରି ସାରା ବିଶ୍ୱରେ ଚହଳ ପକାଇଥିଲା। ଋଷିଆରେ ଖେଳାଯିବାକୁ ଥିବା ବିଶ୍ୱକପ ସମୟରେ ସମାନ ଭୂମିକାରେ ନଜର ଆସିବେ ଆଚିଲେସ୍ ନାମକ ଏକ ବଧିର ବିଲେଇ।
ଏଚିଲେସ ଶୁଣି ପାରେ ନାହିଁ କିନ୍ତୁ ସଠିକ ଅନୁମାନ କରିପାରେ। ପଲ ୨୦୧୦ରେ ଖାଦ୍ୟ ପୂର୍ଣ୍ଣ ୨ଟି ବାକ୍ସ ଭିତରୁ ଗୋଟିଏକୁ ଚୟନ କରି ବିଶ୍ୱକପ୍ ଚମ୍ପିଅନ୍ ଦଳ ଅନୁମାନ କରିଥିଲା। ଏଚିଲେସଙ୍କ ସମ୍ମୁଖରେ ଟିମର ପତାକା ଚିହ୍ନ ବାଉଲରେ ରଖାଯିବ।
ହର୍ମିଟେଜ ସଂଗ୍ରହାଳୟରେ ବିଲେଇମାନଙ୍କ ଯତ୍ନ ନେଉଥିବା ଜଣେ ଆନ୍ନା କୋଡ୍ରାଟିୟେଓ୍ଵା କହିଛନ୍ତି, “ଗତବର୍ଷ ଏଚିଲେସ ନିଜର ଗୃହ ନଗରରେ ଖେଳାଯାଇଥିବା କନଫେଡେରେସନ କପ ମ୍ୟାଚର ଫଳାଫଳର ଭବିଷ୍ୟତ ବାଣୀ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ଏଚିଲେସର ଗୋଟିଏ ବି ଅନୁମାନ ଭୁଲ ନ ଥିଲା। ସେ ଶୁଣିପାରେ ନାହିଁ କିନ୍ତୁ ସଠିକ ଅନୁମାନ କରିପାରିବାର କ୍ଷମତା ରଖିଛି”।
ଆଚିଲେସ୍ ଦେଖିବାକୁ ଖୁବ୍ ସୁନ୍ଦର। ତା’ଦେହର ରଙ୍ଗ ଧଳା ହୋଇଥିବାବେଳେ ଆଖିର ରଙ୍ଗ ନୀଳ। କାନକୁ ଶଭାଯାଉନଥିବାରୁ ତା’ର ଷଷ୍ଠ ଇନ୍ଦ୍ରିୟ ବେଶ୍ ଶକ୍ତିଶାଳୀ। ଏହାକୁ ଦୃଷ୍ଟିରେ ରଖି ତା’କୁ ବିଶ୍ୱକପରେ ଭବିଷ୍ୟବାଣୀ କରିବାକୁ ବଛାଯାଇଛି। ୨୦୧୪ ବିଶ୍ୱକପରେ ସୁଇଜରଲାଣ୍ଡର ଘୁଷୁରି ଭବିଷ୍ୟବକ୍ତା ଭାବେ ଉଭା ହୋଇଥିଲା। ତେବେ ସେ ପଲ୍ ଅକ୍ଟୋପସ ଭଳି ସୁନାମ ଅର୍ଜନ କରିପାରିନଥିଲା। ୨୦୧୮ ବିଶ୍ୱକପରେ ଆଚିଲେଓ ଖ’ଣ ଚମତ୍କାରିତା ଦେଖାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଫୁଟବଲ୍ ମହାକୁମ୍ଭ ଫିଫା ବିଶ୍ୱକପ୍ ପ୍ରାୟ ଏକ ମାସ ପରେ ଜୁଲାଇ ୧୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ।


















