ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶେଷ ହୋଇଛି ମହିଳା ସୁରକ୍ଷା ଯାତ୍ରା। ୧୧ ଦିନ ଧରି ବିଭିନ୍ନ ଅଞ୍ଚଳରେ ଏହି ଯାତ୍ରା ଚାଲିବା ପରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ମହିଳାମାନଙ୍କ ଉପରେ ନିର୍ଯାତନା ବଢ଼ୁଥିବା ବେଳେ ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ବୋଲି ପ୍ରଭାତୀ ଅଭିଯୋଗ କରିଛନ୍ତି।

ପ୍ରଭାତୀ ପରିଡ଼ା କହିଛନ୍ତି, “ରାଜ୍ୟର ୫ ଶହରୁ ଅଧିକ ଥାନା ଭିତରୁ ୨୭୨ଟି ଥାନାରେ ମହିଳାମାନଙ୍କୁ ନ୍ୟାୟ ମିଳୁନି। ମହିଳାମାନେ ଅଭିଯୋଗ କଲେ ଥାନାଗୁଡ଼ିକରେ ମାମଲା ରୁଜୁ ହେଉନାହିଁ। ଅଧିକାଂଶ ଥାନାରେ ମାମଲା ରୁଜୁ ହେଉଥିଲେ ବି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।”

ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି ଯେ ନାରୀ ଏବଂ ଶିଶୁକନ୍ୟାମାନଙ୍କ ପ୍ରତି ଦୁଷ୍କର୍ମ ବଢ଼ି ଚାଲିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ଘଟଣା ଥମିବାର ନାଁ ଧରୁନି।

ମେ’ ୧୭ ତାରିଖରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ରାଜ୍ୟର ୭ଟି ରୁଟ୍‌ରେ କରାଯାଇଥିଲା। ସମସ୍ତ ଲୋକସଭା ଏବଂ ନିର୍ବାଚନମଣ୍ଡଳୀକୁ ଏହି ସୁରକ୍ଷା ଯାତ୍ରା ଛୁଇଁଥିଲା। ୨୭୩ଟି ପଦଯାତ୍ରା ଓ ରୋଡ ସୋ, ୨୧୩ଟି ପଥପ୍ରାନ୍ତ ସଭା  ଓ ୧୫୫ଟି ବିରାଟ ମହିଳା ସାଧାରଣ ସଭା ଆୟୋଜନ କରା ଯାଇଥିଲା।

ଏହି ଯାତ୍ରାରେ ୮,୫୦୦ରୁ ଅଧିକ ମହିଳା କର୍ମକର୍ତ୍ତାମାନେ ୧୦, ୫୪୬ କିମି ପଥ ଅତିକ୍ରମ କରି ୩ ଲକ୍ଷ ୬୦ ହଜାରରୁ ଅଧିକ ମହିଳାଙ୍କୁ ଭେଟିଥିଲେ।

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ସୁରମା ପାଢୀ, ସଂଗୀତା କୁମାରୀ ସିଂହଦେଓ, ସୁକେଶୀ ଓରାମ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment