ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର (ବିପିୟୁଟି) କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ପାଇଁ ବଢ଼ିଲା ଅଡୁଆ। ଆଗୁଆ ଜାମିନ୍ ପାଇଁ ସେ ହାଇକୋର୍ଟରେ କରିଥିବା ଆବେଦନ ଉପରେ ଅନ୍ତରୀଣ ସୁରକ୍ଷା ମିଳିନଥିବାରୁ ତାଙ୍କ ଚିନ୍ତା ବଢ଼ିଯାଇଛି।

କୁଳପତି ପ୍ରଫେସର ତ୍ରିପାଠୀଙ୍କଠାରୁ ହୋଇଥିବା ଆଗୁଆ ଜାମିନ୍ ଆବେଦନ ଉପରେ ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ୍ ଏସ ସି ପରିଜାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଗ୍ରୀଷ୍ମ ଛୁଟି ପରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଫେସର ତ୍ରିପାଠୀଙ୍କ ବିରୋଧରେ କିଛିଦିନ ତଳେ ଅଭିଯୋଗ ଆସିଥିଲା ଯେ ସେ କିଛିଦିନ ତଳେ ବିଶ୍ୱବିଦ୍ୟାଳୟର ନିୟମ ଉଲ୍ଲଂଘନ କରି ପରିଚାଳନା ବୋର୍ଡର ବିନା ଅନୁମତିରେ୧୪ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ଦେଇଥିଲେ। ପରିଚାଳନା ବୋର୍ଡ ଅନୁମତି ବିନା ନିଯୁକ୍ତି ଫଳ ବାହାର ନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଫେସର ତ୍ରିପାଠୀ ଏହି ନିର୍ଦ୍ଦେଶକୁ ପାଳନ କରିନଥିବା କୁହାଯାଉଛି।

ଏ ସମ୍ପର୍କରେ କୁଳାଧିପତି ତଥା ରାଜ୍ୟପାଳଙ୍କ ପାଖରେ ଅଭିଯୋଗ ହେବା ଫଳରେ ବିପିୟୁଟି କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତାଙ୍କଠାରୁ ସମସ୍ତ ପ୍ରଶାସନିକ ଏବଂ ଆର୍ଥିକ କ୍ଷମତା କାଢ଼ି ନିଆଯାଇଥିଲା। ପରେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଥିଲା।

ଏହି ଅଭିଯୋଗର ଭିଜିଲାନ୍ସ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ପ୍ରଫେସର ତ୍ରିପାଠୀଙ୍କୁ ଗିରଫ ନ କରିବା ଲାଗି ଆଗୁଆ ଜାମିନ୍ ନେଇ ଅନ୍ତରୀଣ ସୁରକ୍ଷା ନ ମିଳିବା ପରେ ତାଙ୍କ ଅଡ଼ୁଆ ବଢ଼ିଛି।

ବିପିୟୁଟି ପରିଚାଳନା ସମ୍ପର୍କରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗୋଟିଏପଟେ କୁଳପତିଙ୍କୁ କାଠଗଡ଼ାରେ ଠିଆ କରାଯାଇଥିବା ବେଳେ ଅନ୍ୟପଟେ ଗୋଟିଏ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଦାୟିତ୍ୱରେ ଥିବା କୁଳପତିଙ୍କ କ୍ଷମତାକୁ ବିଭିନ୍ନ ଆଳ ଦେଖାଇ ହତ୍ୟା କରାଯାଉଛି ବୋଲି ଶିକ୍ଷାବିତ୍ ମହଲରେ ଆଲୋଚନା ହେଉଛି।

Comment