ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗତ ଚାରିବର୍ଷ ମଧ୍ୟରେ ପାର୍ଲାମେଣ୍ଟରେ କିଭଳି ରହିଛି ଓଡ଼ିଆ ସାଂସଦମାନଙ୍କ ଦକ୍ଷତା? ପଢ଼ନ୍ତୁ, ଜାଣନ୍ତୁ….
୨୦୧୪ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ଭୋଟ୍ ପାଇ ଓଡ଼ିଶାରୁ ୨୧ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି କ’ଣ ରହିଛି ସେମାନଙ୍କର କାର୍ଯ୍ୟଦକ୍ଷତା? ଏହି ପ୍ରଶ୍ନ ଅତ୍ୟନ୍ତ ପ୍ରାସଙ୍ଗିକ। ତେବେ ଏହାର ଉତ୍ତର ବିଜେଡି ସାଂସଦ ତଥା ଓଲିଉଡ୍ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ବେଶ୍ ନୈରାଶ୍ୟଜନକ ମନେହୁଏ।
ଲୋକସଭାରେ ସାଂସଦମାନଙ୍କର କାର୍ଯ୍ୟଦକ୍ଷତା ମୁଖ୍ୟତଃ ସେମାନେ ସାଂସଦୀୟ ପରିଚାଳନାରେ କିଭଳି ଅଂଶଗ୍ରହଣ କରୁଛନ୍ତି ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ କିଭଳି ଭାବେ ଉପସ୍ଥାପନ କରୁଛନ୍ତି ମୁଖ୍ୟତଃ ତା’ ଉପରେ ନିର୍ଭର କରିଥାଏ। କେବଳ ନିଜ ନିର୍ବାଚନମଣ୍ଡଳୀ ବା ରାଜ୍ୟର କଥା ନୁହେଁ, ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜଣେ ସାଂସଦ କିଭଳି ଭାବରେ ତାଙ୍କର ବିଚାର ଉପସ୍ଥାପନ କରୁଛନ୍ତି ଏବଂ ବିତର୍କରେ ଗୁଣାତ୍ମକ ଭାବେ ଅଂଶଗ୍ରହଣ କରୁଛନ୍ତି ତାହା ମଧ୍ୟ ତାଙ୍କ ଦକ୍ଷତାର ଏକ ବଡ ଦିଗ। ୟୁଥ୍ ଫର୍ ସୋସିଆଲ୍ ଡେଭଲପମେଣ୍ଟ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନିକଟରେ ଅନୁଧ୍ୟାନ କରାଯାଇ ଓଡ଼ିଶାର ସାଂସଦମାନଙ୍କ ଏହି ଦକ୍ଷତା ସମ୍ପର୍କରେ ଏକ ରିପୋର୍ଟ ଗଣମାଧ୍ୟମକୁ ଦିଆଯାଇଛି।
ଏହିକ୍ରମରେ ରାଜ୍ୟରେ ୨୧ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ କଟକ, ଜଗତ୍ସିଂହପୁର, ବାଲେଶ୍ୱର, ଢେଙ୍କାନାଳ ଓ ସମ୍ବଲପୁର ସାଂସଦ ତାଲିକାର ଉପରେ ରହିଛନ୍ତି। ଏହି ତାଲିକାରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଭଲ ମାର୍କ ମିଳିନାହିଁ। ସିଦ୍ଧାନ୍ତ ଗତ ୪ ବର୍ଷ ମଧ୍ୟରେ ଲୋକସଭାରେ ଗୋଟିଏ ବି ପ୍ରଶ୍ନ ପଚାରିନାହାନ୍ତି। ସେ ଏହି ସମୟରେ ପାର୍ଲାମେଣ୍ଟର ୨୦୦ଟି କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି। ସେହଭଳି ଏହି ଅବଧି ମଧ୍ୟରେ ସେ ୬ଟି ବିତର୍କରେ ଅଂଶଗ୍ରହଣ କରିଛନ୍ତି।
ଗତ ୪ ବର୍ଷ ମଧ୍ୟରେ ସାଂସଦ ସିଦ୍ଧାନ୍ତ ଗୋଟିଏ ବି ଘରୋଇ ବି ସଦସ୍ୟତା ବିଲ୍ ଉପସ୍ଥାପନ କରିନାହାନ୍ତି। ସେହିପରି ସିଦ୍ଧାନ୍ତ ତାଙ୍କର ସାଂସଦ ଉନ୍ନୟନ ପାଣ୍ଠି ଅର୍ଥରୁ ୭୩% ଖର୍ଚ୍ଚ କରିଥିବା ଏହି ତଥ୍ୟରୁ ଜଣାପଡ଼ିଛି। ତେବେ ସେ ଗୋଟିଏ ଗ୍ରାମକୁ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ୍ କରିଛନ୍ତି।
ଏହି ୪ ବର୍ଷ ଭିତରେ ଓଡ଼ିଶାର ସାଂସଦମାନେ ସଂସଦରେ ୩୮୬୦ଟି ପ୍ରଶ୍ନ ପଚାରିଛନ୍ତି। ସେମାନଙ୍କ ମଧ୍ୟରୁ ସମ୍ବଲପରୁ ସାଂସଦ ନଗେନ୍ଦ୍ର ପ୍ରଧାନ ଶତାଧିକ ୫୪୦ଟି ପ୍ରଶ୍ନ ପଚାରିଛନ୍ତି। କଟକର ସାଂସଦ ଭର୍ତ୍ତୃହରି ମହତାବ ୫୪୦ଟି ଏବଂ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୫୦୫ଟି ପ୍ରଶ୍ନ ପଚାରିଛନ୍ତି। ଏମାନଙ୍କ ପଛକୁ ଅଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ଏବଂ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ। ରବୀନ୍ଦ୍ର ୪୪୮ଟି ପ୍ରଶ୍ନ ପଚାରିଥିବା ବେଳେ କଳିକେଶ ୪୦୦ଟି ପ୍ରଶ୍ନ ପଚାରିଛନ୍ତି।
ଏହି ସମୟ ମଧ୍ୟରେ ଓଡ଼ିଶାର ସାଂସଦମାନେ ୧୧୩୨ଟି ବିତର୍କରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ସାଂସଦ ସର୍ବାଧିକ ୨୮୮, ବାଲେଶ୍ୱର ସାଂସଦ ୨୭୧, ଜଗତ୍ସିଂହପୁର ସାଂସଦ ୧୧୮ ଏବଂ ଢେଙ୍କାନାଳ ସାଂସଦ ୬୭ଟି ବିତର୍କରେ ଭାଗ ନେଇଛନ୍ତି।
ଗତ ୪ ବର୍ଷ ମଧ୍ୟରେ ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପାଇଁ ୩୫୦କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଓଡ଼ିଶାର ସାଂସଦମାନେ ସେଥିମଧ୍ୟରୁ ୨୬୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜଗତ୍ସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ ୧୮ କୋଟି, କଟକ ସାଂସଦ ଭର୍ତ୍ତୃହରି ମହତାବ ୧୩ କୋଟି ୧୬ ଲକ୍ଷ, ବରଗଡ ସାଂସଦ ପ୍ରଭାସ କୁମାର ସିଂ ୧୫ କୋଟି ୮୩ ଲକ୍ଷ, ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ୧୫ କୋଟି ୮୩ ଲକ୍ଷ ଏବଂ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବାର ତଥ୍ୟ ଦିଆଯାଇଛି।










