ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସହ ସବୁ ସମ୍ପର୍କ ତୁଟାଇବା ପରେ ବୈଜୟନ୍ତ ପଣ୍ଡା ଆଗକୁ କ’ଣ କରିବେ ସେନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି।

ବୈଜୟନ୍ତ ପଣ୍ଡାଙ୍କୁ ଜଣେ ବୁଦ୍ଧିମାନ ରାଜନେତା ବୋଲି କୁହାଯାଏ। କାରଣ ସେ ବୁଝି ବିଚାରି ଏବଂପାଣିପାଗକୁ ଦେଖି ଗୋଟି ଚାଳନା କରନ୍ତି। ହେଲେ ବିଜେଡି ଛାଡ଼ିବା ପରେ ପରିସ୍ଥିତି ଏମିତି ହୋଇଯାଇଛି ଯେ ବୈଜୟନ୍ତ କ’ଣ କରିବେ ସେନେଇ ନିଷ୍ପତ୍ତି ନେଇପାରୁ ନାହାନ୍ତି। କେଉଁ ଦଳକୁ ଗଲେ ତାଙ୍କ ସ୍ଥିତି ମଜଭୁତ ରହିବ ତାକୁନେଇ ବୈଜୟନ୍ତ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ବୈଜୟନ୍ତ ଦେଇଥିବା ସାକ୍ଷାତକାରରୁ ଏହି କଥା ସ୍ପଷ୍ଟ ହୋଇଛି।

ବିଜେଡି ଏବଂ ଲୋକସଭାରୁ ବୈଜୟନ୍ତ ଇସ୍ତଫା ଦେବା ପରେ ଓଡ଼ିଶା ଏବଂ ଜାତୀୟ ରାଜନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହାସହ ତାଙ୍କ ରାଜନୀତିକ ଭବିଷ୍ୟତ ବିଷୟରେ କହିଛନ୍ତି ବୈଜୟନ୍ତ।

ବୈଜୟନ୍ତ କହିଛନ୍ତି, “ଓଡ଼ିଶାରେ ବିଜେଡି ଏକ ନମ୍ବର ସ୍ଥାନରେ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୨ ନମ୍ବର ଏବଂ କଂଗ୍ରେସ ୩ ନମ୍ବର ସ୍ଥାନରେ ରହିଥିଲା। କିନ୍ତୁ କଂଗ୍ରେସର ନୂଆ ସଭାପତି ଆସିବା ପରେ ଦଳ ସଙ୍ଗଠିତ ହେଉଛି। ଗାଁ ଗାଁରେ କଂଗ୍ରେସର କର୍ମୀ ଅଛନ୍ତି।”

ବିଜେପିରେ ଯୋଗ ଦେଉଛନ୍ତି କି?

ବୈଜୟନ୍ତ ଏହି ପ୍ରଶ୍ନର ଉତ୍ତର ଅତି ଚତୁରତାର ସହ ଦେଇଛନ୍ତି। ବିଜେପିରେ ଯୋଗ ଦେବେ ବୋଲି ସିଧାସଳଖ କହି ନାହାନ୍ତି କି ମନା ବି କରି ନାହାନ୍ତି। ସେ କହିଛନ୍ତି ଯେ ସବୁ ଦଳର ଦ୍ୱାର ମୋ ପାଇଁ ଖୋଲା ଅଛି। ସବୁ ଦଳରେ ମୋର ବନ୍ଧୁ ଅଛନ୍ତି। ସେମାନଙ୍କ ସହ ମୁଁ କଥା ହେଉଛି। ସେମାନେ ମୋତେ ଉପାଦେୟ ପରାମର୍ଶ ଦେଉଛନ୍ତି। ଏହାଛଡ଼ା ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କର ପରାମର୍ଶ ନେଇ ମୁଁ ଆଗାମୀ ପଦକ୍ଷେପ ନେବି।

ମହାମେଣ୍ଟ ସଫଳ ହେବ କି?

ଜାତୀୟ ରାଜନୀତି ସମ୍ପର୍କରେ ଆସିଥିବା ଏହି ପ୍ରଶ୍ନର ଉତ୍ତରରେ ବୈଜୟନ୍ତ ମହାମେଣ୍ଟ ସଫଳ ହେବ ନାହିଁ ବୋଲି କହିଛନ୍ତି। ମୋଦିଙ୍କୁ ବର୍ତ୍ତମାନ ପ୍ରତିହତ କରିବା ସହଜ ନୁହେଁ ବୋଲି ଜୟ ପଣ୍ଡା କହିଛନ୍ତି। ମିଳିତ ବିରୋଧୀ ଦଳରେ ସର୍ବମାନ୍ୟ ନେତା ନାହାନ୍ତି। ଗୁଜୁରାଟରେ ବିଜେପିକୁ ପ୍ରତିହତ କରିବା ପାଇଁ ବିରୋଧୀ ଦଳ ହାତ ମିଳାଇଥିଲେ। ହେଲେ ସଫଳ ହୋଇ ନଥିଲେ। ଏଣୁ ୨୦୧୯ରେ ମହାମେଣ୍ଟ ସଫଳ ହେବା ପରି ମନେ ହେଉନି।

କାହିଁକି ବିଜେଡି ଛାଡ଼ିଲ?

ମୋ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଗଲା। ହେଲେ ବିଜେଡିର କୌଣସି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଆସିଲେ ନାହିଁ। ମୋ ବାପା ବିଜୁବାବୁଙ୍କର ଘନିଷ୍ଠ ବନ୍ଧୁ ଥିଲେ। ରାଜନୀତିରୁ ବହୁ ଉର୍ଦ୍ଧ୍ବରେ ଥିଲେ ସେ। କିନ୍ତୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କେହି ନଆସିବା ମୋତେ ବାଧିଥିଲା। ଏଣୁ ମୁଁ ବିଜେଡି ଛାଡ଼ିଲି।

ବୈଜୟନ୍ତ ବିଜେଡି ଛାଡ଼ିବା ପରେ ତାଙ୍କ ପାଇଁ କଂଗ୍ରେସ ଏବଂ ବିଜେପିର ଦ୍ୱାର ଖୋଲାଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୈଜୟନ୍ତଙ୍କୁ ଖୋଲାଖୋଲି ସ୍ୱାଗତ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିରେ ଭଲ ଲୋକଙ୍କର ସ୍ଥାନ ଅଛି କହି ପରୋକ୍ଷରେ ବୈଜୟନ୍ତଙ୍କୁ ସ୍ୱାଗତ କରିଥିଲେ।

ଏବେ ବୈଜୟନ୍ତ ଲୋକସଭା ସାଂସଦ ପଦବୀରୁ ଇସ୍ତଫା ଦେଇ ବିଜେଡି ସହ ସବୁ ସମ୍ପର୍କ ତୁଟାଇ ସାରିଛନ୍ତି। ହେଲେ କ’ଣ କରିବେ ତାକୁ ନେଇ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଜାନୁଆରୀ ମାସରେ ବିଜେଡିରୁ ନିଲମ୍ବିତ ହେବା ପରେ ବୈଜୟନ୍ତ କହିଥିଲେ ଯେ ମୋ ନିର୍ବାଚନମଣ୍ଡଳୀବାସୀଙ୍କର ପରାମର୍ଶ ନେଇ ମୁଁ ପଦକ୍ଷେପ ନେବି। ଏବେ ବିଜେଡି ସହ ସମ୍ପର୍କ ତୁଟାଇବା ପରେ ମଧ୍ୟ ବୈଜୟନ୍ତ ଅନୁରୂପ କଥା କହୁଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ ବୈଜୟନ୍ତ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି।

ବର୍ତ୍ତମାନ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କଂଗ୍ରେସ ଏବେ ନିଜ ଘର ସଜାଡ଼ିବା କାମରେ ବ୍ୟସ୍ତ ରହିଛି। ବୈଜୟନ୍ତଙ୍କ ନିର୍ବାଚନମଣ୍ତଳୀ କେନ୍ଦ୍ରାପଡ଼ାରେ ମଧ୍ୟ ରାଜନୀତି ପାଣିପାଗ ଭଲ ନାହିଁ। ଏଣୁ ବୈଜୟନ୍ତଙ୍କ ପାଇଁ ନିଷ୍ପତ୍ତି ନେବା ଏତେ ସହଜ ହେବ ନାହିଁ ବୋଲି ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

Comment