ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜୁଲାଇରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୭ ସେପ୍ଟେମ୍ବର ମାସରେ ଓଡ଼ିଶା ନେତାଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିବେ।

ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ୨୦୧୯ ବିଧାନସଭା ନିର୍ବାଚନରେ ୧୨୦ ଆସନ ଜିତିବା ପାଇଁ ଯେଉଁ ଟାସ୍କ ସେ ଓଡ଼ିଶାର ନେତାମାନଙ୍କୁ ଦେଇଥିଲେ ତାହା କେତେଦୂର ପୂରଣ ହୋଇପାରିଛି ସେ କଥା ଜାଣିବା।

ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, “ଏହି ଗସ୍ତର କାର୍ଯ୍ୟସୂଚୀ ଯଦିଓ ପ୍ରସ୍ତୁତ ହୋଇନାହିଁ ଏତିକି ନିଶ୍ଚିତ ଯେ ଜୁଲାଇ ପହିଲାରେ ସେ ଆସୁଛନ୍ତି। ୨୦୧୭ ସେପ୍ଟମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ଅମିତ ଶାହା। ଏକ ସାଧାରଣ ସଭାରେ ସେ ଘୋଷଣା କରିଥିଲେ ଯେ ୨୦୧୯ରେ ବିଜେଡିଠାରୁ କ୍ଷମତା ଛଡ଼ାଇବା ପାଇଁ ବିଜେପି ଉଦ୍ୟମ କରିବ। ଏଇଠୁ ହିଁ ବିଜେପିର ‘୧୨୦ ପ୍ଲସ୍ ମିଶନ’ ଆରମ୍ଭ ହୋଇଥିଲା।

ଅମିତ ଶାହା ରାଜ୍ୟର ନେତାମାନଙ୍କୁ ଏକ କଠିନ କାର୍ଯ୍ୟ ତାଲିକା ଦେଇଥିଲେ। ଏହି କାର୍ଯ୍ୟ ଭିତରେ ଥିଲା ସମଗ୍ର ରାଜ୍ୟରେ ବୁଥ ସ୍ତରୀୟ କମିଟି ଗଠନ କରିବା। ଆହୁରି ମଧ୍ୟ ଓଡ଼ିଶାର ନେତାମାନଙ୍କୁ କୁହାଯାଇଥିଲା କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ବୁଝେଇବେ କେନ୍ଦ୍ରରେ ମୋଦି ସରକାର କ’ଣ କ’ଣ ଭଲ କାମ କରିଛନ୍ତି ଓ କିଭଳି ଗରିବ ଲୋକଙ୍କ ପାଇଁ ବହୁତ କିଛି କରାଯାଉଛି। ଜୁଲାଇ ପହିଲା ଗସ୍ତ ବେଳେ ଏହାର ସମୀକ୍ଷା କରିବେ ଶାହା।

ବିଜେପିର ରାଜ୍ୟ ସମ୍ପାଦକ ଦିଲୀପ ମହାନ୍ତି କହିଛନ୍ତି, “ବୁଥଗୁଡ଼ିକରୁ ରିପୋର୍ଟ ସଂଗ୍ରହ କରାଯାଉଛି ଓ ଶାହାଙ୍କ ଉପସ୍ଥିତିରେ ସେହିସବୁ ରିପୋର୍ଟର ତର୍ଜମା ହେବ। ବିଜେପିର ପ୍ରତି ବୁଥ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି ଓ ଜଣେ ଜଣେ ସଦସ୍ୟ ୧୦ଟି ଘରକୁ ଯାଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ବୁଝାଇବାର କାର୍ଯ୍ୟକ୍ରମ ଥିଲା।

ଶାହାଙ୍କ ଆଉ ଏକ ମନ୍ତ୍ର ଥିଲା ବିଗତ ଚାରି ବର୍ଷ ମଧ୍ୟରେ ମୋଦି ସରକାର ଯେଉଁ ସବୁ ଯୋଜନା ଆରମ୍ଭ କରିଛନ୍ତି ତାହାର ଘମାଘୋଟ ପ୍ରଚାର ଓ ପ୍ରସାର କରିବା। ଗତବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱର ଆସିଥିବା ବେଳେ ଶାହା ରାଜ୍ୟ ବିଜେପିର ନେତା ଓ କର୍ମୀଙ୍କୁ କହିଥିଲେ ଯେ ଲୋକଙ୍କ ସମସ୍ୟା କଣ ସବୁ ବୁଝ ଓ ତାହାର ସମାଧାନ ପାଇଁ ଚେଷ୍ଟା କର। ନବୀନ ପଟ୍ଟନାୟକ ସରକାରର ବିଫଳତାଗୁଡ଼ିକୁ ଚିହ୍ନଟ କରି ତାହା ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ମଧ୍ୟ ଶାହା ପରାମର୍ଶ ଦେଇଥିଲେ।

Comment