ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅସମ୍ଭବ ଭିଡ଼ ଲାଗି ରହୁଥିବାରୁ ବିଏମସି କର୍ତ୍ତୃପକ୍ଷ ଏହାକୁ ଅନଲାଇନ କରିବା ପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରୁଛନ୍ତି।
ଏଣିକି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବା ଅଧିକ ସୁବିଧାଜନକ ହେବ। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବାସ କରୁଥିବା ଥିବା ଲୋକେ ଆଗ ଭଳି ଆଉ ଦୌଡ଼ିବେ ନାହିଁ। ବିଏମସି ପକ୍ଷରୁ ଏଥିପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଉଛି।
ପ୍ରତିଦିନ ଏହି ପ୍ରମାଣପତ୍ର ପାଇଁ ଅସମ୍ଭବ ଭିଡ଼ ଲାଗି ରହୁଥିବାରୁ ବିଏମସି କର୍ତ୍ତୃପକ୍ଷ ଏହାକୁ ଅନଲାଇନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏବେ ଯଦିଓ ଏଥିପାଇଁ ଏକ ୱେବସାଇଟ ଅଛି କିନ୍ତୁ ତାହା କାମରେ ଲାଗିପାରୁନାହିଁ ବୋଲି ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।
ଭୁବନେଶ୍ୱର ଅଧିବାସୀଙ୍କ ପାଇଁ ଏଣିକି ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇବା ସହଜସାଧ୍ୟ କରିବା ଉଦ୍ଦେଶ୍ୟ ନେଇ ହନିୱେଲ ନାମକ ଏକ ଘରୋଇ ସଂସ୍ଥାକୁ ଏହି କାମଟି ଦିଆଯାଇଛି।
ଦୈନନ୍ଦିନ ବିଏମସିରେ ପ୍ରାୟ ୪୦୦ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଦରଖାସ୍ତ ଆସିଥାଏ। ଏଥିରୁ ଅଧିକାଂଶ ଅଫଲାଇନରେ ହୋଇଥାଏ। ପଞ୍ଜୀକରଣ ଅଫିସ ସାମନାରେ ଘଣ୍ଟାଘଣ୍ଟା ଧରି ଲୋକେ ଧାଡ଼ିବାନ୍ଧି ଠିଆ ହେଉଥିବାରୁ ଏହାକୁ ହଟାଇବା ପାଇଁ ତାଜା ପଦକ୍ଷେପ ନିଆଯାଇଛି।
ବିଏମସି ସମେତ ରାଜ୍ୟର ଅନ୍ୟ ପୌରାଞ୍ଚଳ ପାଇଁ ପୂର୍ବରୁ ଇ-ମୁନିସିପାଲିଟି ଅନଲାଇନ ସେବା ରହିଛି।ଯେଉଁମାନେ ବିଭିନ୍ନ ସୁବିଧା ପାଇଁ ଦରଖାସ୍ତ କରନ୍ତି ସେମାନଙ୍କ ପାଖକୁ ଏକ ଏସଏମଏସ ଆଲର୍ଟ ମଧ୍ୟ ଯାଇଥାଏ।
ସମଗ୍ର ରାଜ୍ୟରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଏହି ସାଇଟକୁ ଟିସିଏସକୁ ଦିଆଯାଇଛି। ହେଲେ ଏହି ୱେବସାଇଟ ଏତେ ବ୍ୟବହାର ଉପଯୋଗୀ ହୋଇ ପାରିନଥିବାରୁ ବିକଳ୍ପ ଚିନ୍ତା କରାଯାଉଥିବା ବିଷୟ ଜଣେ ଅଧିକାରୀ କହିଛନ୍ତି।










