ଓଡ଼ିଶାଲାଇଭ୍ ବ୍ୟୁରୋ
‘ରାଇଜିଂ କଶ୍ମୀର’ର ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ଜଣେ ପାକିସ୍ତାନୀର ହାତ ଅଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ କହିଛି।
‘ରାଇଜିଂ କଶ୍ମୀର’ର ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ଦୁଇ ଜଣ କାଶ୍ମୀରି ଯୁବକଙ୍କ ସମେତ ଜଣେ ପାକିସ୍ତାନୀ ସମ୍ପୃକ୍ତ ଅଛନ୍ତି ବୋଲି ବୁଧବାରଦିନ ଜାମ୍ମୁ-କଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
‘ରାଇଜିଂ କଶ୍ମୀର’ ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବରିଷ୍ଠ ଖବରଦାତା ତଥା ଶାନ୍ତି ପ୍ରତିଷ୍ଠା ପାଇଁ ସବୁବେଳେ ଉଦ୍ୟମ ଚଳାଇଥିବା ୫୦ ବର୍ଷୀୟ ଶୁଜାତ୍ ବୁଖାରିଙ୍କୁ ୧୪ଜୁନ ସନ୍ଧ୍ୟାରେ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ।
ସେ ଶ୍ରୀନଗରର ଲାଲ୍ଚୌକ୍ସ୍ଥିତ ପ୍ରେସ୍ ଏନ୍କ୍ଲେଭ୍ ଅଫିସରୁ ବାହାରି ଏକ ଇଫ୍ତାର ପାର୍ଟିକୁ ଯାଉଥିବାବେଳେ ବନ୍ଧୁକଧାରୀମାନେ ତାଙ୍କୁ ଖୁବ୍ ନିକଟରୁ ଗୁଳି କରିଥିଲେ। ଗୁଳିମାଡ଼ରେ ବୁଖାରି ଓ ତାଙ୍କର ୨ ଜଣ ପିଏସ୍ଓ ଟଳିପଡ଼ିଥିଲେ।
ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା ସନ୍ଦେହ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଆତତାୟୀମାନଙ୍କୁ ଖୋଜି ବାହାର କରିବା ପାଇଁ ଜାମ୍ମୁ ଡିଆଇଜିଙ୍କ ନେତୃତ୍ୱରେ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିଲା। ଏହି ଟିମ୍ ବ୍ୟାପକ ତଦନ୍ତ ପରେ ଘଟଣାରେ ସଂପୃକ୍ତ ତିନ ଆତତାୟୀଙ୍କୁ ଚିହ୍ନଟ କରିଛି।
ଅଭିଯୁକ୍ତ ପାକିସ୍ତାନୀ ହତ୍ୟାକାରୀର ନାମ ନାଭେଦ୍ ଜଟ୍ଟ। ନାଭେଦ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ସମ୍ପର୍କ ଅଛି ବୋଲି ପୋଲିସ କହିଛି। କିଛିଦିନ ତଳେ ସିସିଟିଭିରୁ ସଂଗୃହୀତ ଫୁଟେଜ୍ ଯାଞ୍ଚ କରି ୩ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଥିଲା ପୋଲିସ।











