ଓଡ଼ିଶାଲାଇଭ୍‍ ବ୍ୟୁରୋ

ପାସ୍‌ପୋର୍ଟ ଆବେଦନ ପାଇଁ ଏକ ମୋବାଇଲ ‘ଆପ୍‌’ର ଶୁଭାରମ୍ଭ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ‘ଏମପାସପୋର୍ଟ (mPassport) ସେବା ଆପ୍‌’ ନାମକ ଏହି ‘ଆପ୍‌’କୁ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଫୋନ୍‌ରେ ବ୍ୟବହାର କରିହେବ।

ଏଣିକି ଆପଣ ଦେଶର ଯେ କୌଣସି ସ୍ଥାନରୁ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଆପଣଙ୍କ ବାସସ୍ଥାନ ବା ନିଜ ରାଜ୍ୟକୁ ଫେରିବାକୁ ପଡ଼ିବ ନାହିଁ। ପାସପୋର୍ଟ ଆବେଦନ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ପାଇଁ ବିଦେଶ ମନ୍ତ୍ରାଳୟର ଏହି ନିଷ୍ପତ୍ତି ସଂକ୍ରାନ୍ତ ଯୋଜନାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ଏହା ସହିତ ପାସ୍‌ପୋର୍ଟ ଆବେଦନ ପାଇଁ ଏକ ମୋବାଇଲ ‘ଆପ୍‌’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ସୁଷମା। ‘ଏମପାସପୋର୍ଟ (mPassport) ସେବା ଆପ୍‌’ ନାମକ ଏହି ‘ଆପ୍‌’କୁ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଫୋନ୍‌ରେ ବ୍ୟବହାର କରିହେବ।

ପୂର୍ବରୁ କେବଳ ନିଜ ରାଜ୍ୟର ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀଙ୍କ ନିକଟରେ ପାସ୍‌ପୋର୍ଟ ପାଇଁ ଆବେଦନ କରାଯାଇପାରୁଥିଲା। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କ ସ୍ଥାୟୀ ଠିକଣା ଯେଉଁ ପାସ୍‌ପୋର୍ଟ କାର୍ଯ୍ୟାଳୟ ପରିସରଭୁକ୍ତ କେବଳ ସେହି ସ୍ଥାନରେ ହିଁ ସେ ଆବେଦନ କରିପାରୁଥିଲେ। ସେହି ସ୍ଥାନର ପୋଲିସ ହିଁ ତାଙ୍କ ସଂପର୍କରେ ଯାଞ୍ଚ କରୁଥିଲେ। ଉଦାହରଣସ୍ୱରୂପ ଯଦି ଜଣେ ବ୍ୟକ୍ତି ଭୁବନେଶ୍ୱରର ବାସିନ୍ଦା ଏବଂ ସେ ଦିଲ୍ଲୀରେ ରହୁଥାଆନ୍ତି, ତେବେ ସେ କେବଳ ଭୁବନେଶ୍ୱରର ଆଞ୍ଚଳିକ ପାସପୋର୍ଟ ଅଧିକାରୀଙ୍କ ନିକଟରେ ପାସ୍‌ପୋର୍ଟ ପାଇଁ ଆବେଦନ କରିପାରୁଥିଲେ। ଏଥିପାଇଁ ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ପଡୁଥିଲା। ଭୁବନେଶ୍ୱରର ପୋଲିସ ହିଁ ତାଙ୍କ ସଂପର୍କରେ ଯାଞ୍ଚ କରି ରିପୋର୍ଟ ଦେଉଥିଲେ। ଆବେଦନର ଏହି ପୁରୁଣା ପ୍ରକ୍ରିୟାରେ ଅଧିକ ସମୟ ଲାଗୁଥିଲା ଏବଂ ଖର୍ଚ୍ଚ ବି ଅଧିକ ହେଉଥିଲା।

ଏବେକାର ସରଳୀକୃତ ପ୍ରକ୍ରିୟାରେ ଆବେଦନକାରୀଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ଷଷ୍ଠ ପାସ୍‌ପୋର୍ଟ ସେବା ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି ନୂତନ ଯୋଜନାରେ ଜଣେ ବ୍ୟକ୍ତି ତାଙ୍କ ରହିବା ସ୍ଥାନରୁ ହିଁ ପାସପୋର୍ଟ ପାଇଁ ଆବେଦନ କରିପାରିବେ। ଏଥିପାଇଁ ସେ ନିକଟବର୍ତ୍ତୀ ପାସ୍‌ପୋର୍ଟ ସେବା କେନ୍ଦ୍ର ବାଛି ପାରିବେ। ଆବେଦନପତ୍ରରେ ସେ ଦର୍ଶାଉଥିବା ଠିକଣା ଯେଉଁ ଥାନା ପରିସରଭୁକ୍ତ ହୋଇଥିବ ସେହି ସ୍ଥାନର ପୋଲିସ ହିଁ ଯାଞ୍ଚ କରିବେ ଏବଂ ସେହି ଅଞ୍ଚଳ ପାଇଁ ଥିବା ପାସ୍‌ପୋର୍ଟ ଅଧିକାରୀ ପାସ୍‌ପୋର୍ଟ ପ୍ରଦାନ କରିବେ। ଉଦାହରଣସ୍ୱରୂପ ଯଦି ଜଣେ ବ୍ୟକ୍ତି ଭୁବନେଶ୍ୱରରୁ ଆସି ଦିଲ୍ଲୀରେ ରହୁଥାଆନ୍ତି ତେବେ ସେ ଦିଲ୍ଲୀରେ ହିଁ ପାସ୍‌ପୋର୍ଟ ପାଇଁ ଆବେଦନ କରିବେ ଏବଂ ଦିଲ୍ଲୀର ଯେଉଁ ଠିକଣା ସେ ଦେଇଥିବେ ସେହି ଅଞ୍ଚଳର ପୋଲିସ ହିଁ ତାଙ୍କ ସଂପର୍କରେ ଯାଞ୍ଚ କରିବ। କୌଣସି ପରିସ୍ଥିତିରେ ତାଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ। ଅନ୍ୟ ଭାଷାରେ କହିବାକୁ ଗଲେ ଏଣିକି ପାସପୋର୍ଟ ଆବେଦନକାରୀ ହିଁ ନିଜର ପାସପୋର୍ଟ ସେବା କେନ୍ଦ୍ର ଏବଂ ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀ ପସନ୍ଦ କରିପାରିବେ ।

କେବଳ ଏତିକି ନୁହେଁ, ପାସପୋର୍ଟ ଆବେଦନ ପାଇଁ ଆଉ କମ୍ପ୍ୟୁଟର ବା ପ୍ରିଣ୍ଟରର ଆବଶ୍ୟକତା ପଡ଼ିବ ନାହିଁ। ଏ ସଂପର୍କିତ ମୋବାଇଲ ‘ଆପ୍‌’ର ଶୁଭାରମ୍ଭ କରିଛନ୍ତିବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ। ଅନ୍ୟ ଯେ କୌଣସି ‘ଆପ୍‌’ ଭଳି ଏଥିରେ ମଧ୍ୟ ନ୍ୟୁ ୟୁଜର ରେଜିଷ୍ଟ୍ରେସନ, ସାଇନ୍‌ ଇନ୍‌ କରିବାକୁ ପଡ଼ିବ ଏବଂ ଏଥିରେ ଆବେଦନ ପତ୍ର ପୂରଣ କରିବା ସହିତ ପାସ୍‌ପୋର୍ଟ ସେବା କେନ୍ଦ୍ର ଏବଂ ପାସ୍‌ପୋର୍ଟ ଅଧିକାରୀ ଚୟନ କରିବାକୁ ପଡ଼ିବ।

ପାସପୋର୍ଟ ସହିତ ପୋଲିସ କ୍ଲିଅରାନ୍‌ସ ସାର୍ଟିଫିକେଟ ପାଇଁ ଏଥିରେ ଆବେଦନ କରିବାକୁ ହେବ। ସାକ୍ଷାତକାର ପାଇଁ ସମୟ ସ୍ଥିର କରିବା ସହିତ ପାସ୍‌ପୋର୍ଟ ସେବା ସଂପର୍କିତ ଦେୟ ପଇଠ କରାଯାଇପାରିବ। ଗୋଟିଏ ବାକ୍ୟରେ ଏହି ‘ଆପ୍‌’ରେ ହିଁ ପାସପୋର୍ଟ ଆବେଦନ ଏବଂ ସଂଲଗ୍ନ ସମସ୍ତ ପ୍ରକ୍ରିୟା ପୂରଣ କରାଯାଇପାରିବ।

ଏହି ନୂତନ ଯୋଜନାର ଶୁଭାରମ୍ଭ ଅବସରରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ପାସପୋର୍ଟ ଆବେଦନ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଦେଶରେ ଏବେ ୩୦୭ଟି ପାସପୋର୍ଟ ସେବା କେନ୍ଦ୍ର ରହିଛି। ଆଗାମୀ ଦିନରେ ସମସ୍ତ ୫୪୩ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପାସପୋର୍ଟ ସେବାକେନ୍ଦ୍ର ଖୋଲାଯିବ। ପାସପୋର୍ଟ ଆବେଦନ କ୍ଷେତ୍ରରେ ବିବାହ ପ୍ରମାଣପତ୍ର ଭଳି କେତେକ ପ୍ରମାଣପତ୍ରର ଆବଶ୍ୟକତାକୁ ବାଦ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

Comment