ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ଆସିଲେ ମହାପ୍ରଭୁ
  • ୧୦୮ ଗରାରେ ସ୍ନାନ କଲେ
  • ସୁନାକୁଅରୁ ଆସିଲା ସୁବାସିତ ଜଳ
  • ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ
  • ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ
  • ରାତି ୧୦ଟାରେ ଅଣସର ଘରକୁ ବିଜେ କରିବେ ମହାପ୍ରଭୁ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିଛନ୍ତି। ସୁନାକୁଅରୁ ଗରାବଡ଼ୁ ସେବାୟତମାନେ ପାଣି ଆଣିଥିଲେ।

ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବା ଗଜାନନ ବେଶ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ସନ୍ଧ୍ୟାରେ ମହାପ୍ରଭୁ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ହାତୀ ବେଶ ଦର୍ଶନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ଆଜି ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ଆଣିଥିଲେ। ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ପରେ ବଳଭଦ୍ର, ଜଗନ୍ନାଥ ଏବଂ ଶେଷରେ ସୁଭଦ୍ରାଙ୍କ ପହଣ୍ଡି କରାଯାଇଥିଲା।

ଅପରାହ୍ଣ ୪ଟାରୁ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ। ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଆରମ୍ଭ ହେବ। ସାହାଣମେଲା ଦର୍ଶନ ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ।

୧୪ ଦିନ ପର୍ଯ୍ୟନ୍ତ ସେ ଅଣସର ଘରେ ରହିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ମଉସୀ ଘରକୁ ଯିବେ।

Comment