ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିରୁ ବିତାଡ଼ିତ ନେତା ବୈଜୟନ୍ତଙ୍କ ତାଜା ତୀରକୁ ବାଏଁ ବାଏଁ ଉଡ଼ାଇ ଦେଇ ଦଳର ମୁଖପାତ୍ର କହିଛନ୍ତି “ତାଙ୍କ କଥା ସେ ବୁଝନ୍ତୁ”।

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ିବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲି ବିଜେଡିର ଗୁମର ଖୋଲିଛନ୍ତି। ତାଙ୍କ ପରିବାର ମାଲିକାନାରେ ପରିଚାଳିତ ‘ଓଟିଭି’ର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗଦେଇ ଭ୍ରଷ୍ଟାଚାର, କୋଟେରୀ ଏବଂ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ବିଜେଡିରେ ଚାରି ବର୍ଷ ହେଲା କ’ଣ ଚାଲିଛି ସେ ଗୁମର ମଧ୍ୟ ଟିଭି ପରଦାରେ ଖୋଲିଥିଲେ।

ବୈଜୟନ୍ତ ବିଜେଡି ଉପରେ ଖୋଲାଖୋଲି ମନ୍ତବ୍ୟ ଦେବା ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ୍ ସୃଷ୍ଟି ହୋଇଛି। କଂଗ୍ରେସ, ବିଜେପି ବିଜେଡିକୁ ସମାଲୋଚନା କରିଥିବା ବେଳେ ବିଜେଡି ବୈଜୟନ୍ତଙ୍କ ମନ୍ତବ୍ୟକୁ ଟାର୍ଗେଟ କରିଛି। ବୈଜୟନ୍ତ ଯେଉଁ ବାଣ ମାରିଥିଲେ ତାକୁ ବିଜେଡି ହାଲୁକା ଭାବେ ଗ୍ରହଣ କରିଛି। ବୈଜୟନ୍ତଙ୍କ ବାଣକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।

“ବୈଜୟନ୍ତ ଆମ ଦଳ ସମ୍ପର୍କରେ ମୁଣ୍ଡ ଖେଳାଇବା କିଛି ଆବଶ୍ୟକ ନାହିଁ। ଆମେ ଆମ କଥା ବୁଝିବୁ। ସେ ତାଙ୍କ ନିଜ କଥା ବୁଝନ୍ତୁ”, କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ବୈଜୟନ୍ତଙ୍କ ପ୍ରତିକ୍ରକିୟାକୁ ନେଇ ବିଜେଡିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ବିଜେଡି ସବୁ କ୍ଷେତ୍ରରେ ବିଫଳ ହୋଇଛି। ଦୁର୍ନୀତି ରାଜ୍ୟରେ ସୀମା ଟପିଛି।

ବିଜେଡି ଏବଂ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବୈଜୟନ୍ତ ପଣ୍ଡା ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇଥିଲେ। କାହିଁକି ଦଳ ଛାଡ଼ିଲେ ଏବଂ ଆଗାମୀ ପଦକ୍ଷେପ କ’ଣ ସେ ବିଷୟରେ ଉତ୍ତର ରଖିଥିଲେ। ହେଲେ ପ୍ରଥମ ଥର ପାଇଁ ବୈଜୟନ୍ତ ଓଡ଼ିଆ ଟିଭି ଚ୍ୟାନେଲରେ ନିଜ ମତ ରଖି ବିଜେଡିର କୋଟେରୀକୁ ନିଶାନା କରିଛନ୍ତି।

ବୈଜୟନ୍ତ କହିଥିଲେ ଯେ ଗତ ଚାରି ବର୍ଷ ହେଲା ବିଜେଡିକୁ କୋଟେରୀ କବ୍‌ଜା କରିନେଇଛନ୍ତି। ଫଳରେ ଭ୍ରଷ୍ଟାଚାର ବଢ଼ି ଚାଲିଛି। କୋଟେରୀ ଯେଉଁଭଳି ଭାବେ ଦଳକୁ କବ୍‌ଜା କରିଛନ୍ତି ନବୀନ ପଟ୍ଟନାୟକଙ୍କ ଅବସ୍ଥା କ’ଣ ହେବ ତାକୁ ନେଇ ମୁଁ ଚନ୍ତାରେ ପଡ଼ିଛି।

ଖାଲି ସେତିକି ନୁହେଁ, ବୈଜୟନ୍ତ ଆହୁରି କହିଥିଲେ ଯେ ତିନି ଟର୍ମରେ ଭ୍ରଷ୍ଟାଚାର ଅଭିଯୋଗରେ ୩୬ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। କିନ୍ତୁ ଗତ ଚାରି ବର୍ଷ ଭିତରେ କୌଣସି ଜଣେ ବି ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରାଯାଇନି। ଫଳରେ ନବୀନଙ୍କ ଇମେଜ କମୁଛି।

ଏହାସହ ବୈଜୟନ୍ତ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ଅଫିସରମାନଙ୍କ ପାଇଁ ସରକାର ନୀତିନିୟମ ପ୍ରଣୟନ କରିଛନ୍ତି। ସେମାନେ ସେମାନଙ୍କ ସୀମାରେ ରହିବା ଉଚିତ୍। ନିର୍ବାଚନରେ ଟିକେଟ ବାଣ୍ଟିବା ଏବଂ ଚାନ୍ଦା ଆଦାୟ କରିବା ଠିକ୍ ନୁହେଁ।

ବୈଜୟନ୍ତଙ୍କ ଏହି ଟିପ୍ପଣୀ ରାଜନୀତି କରିଡ଼ରକୁ ହଲ୍‌ଚଲ୍‌ କରିଦେଇଛି। ପ୍ରଥମ ଥର ପାଇଁ ଓଡ଼ିଆ ଗଣମାଧ୍ୟମରେ ବିଜେଡି ଛାଡ଼ିବା ପରେ ବୈଜୟନ୍ତ ମୁହଁ ଖୋଲିଥିବାରୁ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

Comment