ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ସହ କୌଣସି ଦୁର୍ବ୍ୟବହାର ହୋଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକ।
ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କୁ ସେବାୟତମାନେ ଅସମ୍ମାନ କରି ନାହାନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନକୁ ଦୁର୍ବ୍ୟବହାର ଘଟଣା ନେଇ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସି ନଥିବା କହିଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ଅଶୋକ ମଲ୍ଲିକ।
ମଲ୍ଲିକ କହିଛନ୍ତି, “ଯଦି ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଚିଠି ଆସିଛି ସେହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରାଯାଉ। ରାଷ୍ଟ୍ରପତି ଭବନରୁ ଏ ସମ୍ପର୍କରେ କୌଣସି ଚିଠି ଆସିନାହିଁ।”
ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଦୁର୍ବ୍ୟବହାର ହୋଇଥିବା ହଠାତ୍ ଚର୍ଚ୍ଚା ହେଲା। ଏନେଇ ରାଷ୍ଟ୍ରପତି ଭବନରୁ ଏକ ଚିଠି ଆସିଥିବା କୁହାଗଲା ଏହି ଚିଠି ଆଧାରରେ ଶ୍ରୀମନ୍ଦିରର ଦୁଇଜଣ ସେବାୟତଙ୍କ ବିରୋଧରେ ପରିଚାଳନା କମିଟି କାର୍ଯ୍ୟାନୁଷ୍ଠାନ ନେବା ଖବର ଜଣାପଡ଼ିଥିଲା।
ଏବିଷୟରେ ସେ କହିଛନ୍ତି, “ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ଦିନ ଅନେକ ସେବାୟତ ସୁରକ୍ଷାବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ନିକଟକୁ ଆସିବାକୁ ଚାହିଁଥିଲେ। କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ।”
ମାର୍ଚ୍ଚ ୧୮ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ତେବେ ଶ୍ରୀମନ୍ଦିର ପରିସରରେ କେତେକ ସେବାୟତ ରାଷ୍ଟ୍ରପତି ଦମ୍ପତିଙ୍କୁ ଦୁର୍ବ୍ୟବହାର କରିଥିବା ଚର୍ଚ୍ଚା ହୋଇଥିଲା।
ରାଷ୍ଟ୍ରପତି ଦମ୍ପତିଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ଅନ୍ୟମାନଙ୍କୁ ପ୍ରବେଶ ଅନୁମତି ନ ଥାଏ। ମାତ୍ର ଏହା ସତ୍ତ୍ୱେ ରାଷ୍ଟ୍ରପତି ଦମ୍ପତି ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦୁର୍ବ୍ୟହାରର ଶିକାର ହୋଇଥିଲେ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚିଠି ଲେଖି ଅବଗତ କରାଯାଇଥିଲା। ଗତ ୧୯ ତାରିଖରେ ରାଷ୍ଟ୍ରପତିଭବନରୁ ଏସମ୍ପର୍କିତ ଚିଠି ଆସିବା ପରେ ଏନେଇ ୨୦ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ଚର୍ଚ୍ଚା ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।




















