ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଅଚାନକ ନିଖୋଜ ହେବା ଓ ତାଙ୍କଠାରୁ ଚୋରି ହୋଇଥିବା ଘଟଣାରେ ନୂଆମୋଡ଼।

ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ନଥିଲେ କି ତାଙ୍କଠାରୁ କୌଣସି ଜିନିଷ ଚୋରି ହୋଇନାହିଁ, ବରଂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ନବୀନ ନନ୍ଦଙ୍କୁ କୋଲକାତା ପୋଲିସ ଗିରଫ କରିଥିଲା। ପରେ ଜାମିନରେ ମୁକୁଳିଥିବା ନେଇ କୋଲକାତାର ପତ୍ରିକା ନାମକ ଏକ ୱେବ୍ ମାଗାଜିନରେ ପ୍ରକାଶ ପାଇଛି।

କୋଲକାତା ପାର୍କଷ୍ଟ୍ରିଟ୍‌ରେ ଥିବା ଏକ ବିୟୁଟି ପାର୍ଲରରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଧରି ନେଇଥିଲା କୋଲକାତା ପୋଲିସ।  ବିୟୁଟି ପାର୍ଲରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ କୋଲକାତାର ବେନିୟାପୁକୁର ପୋଲିସ ଚଢ଼ାଉ କରିଥିଲା।

ଶନିବାର ରାତିରେ ଚଢାଉ ବେଳେ ୯ ଦେହଜୀବୀ, ୨ ଗ୍ରାହକ ଓ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସମେତ ୧୮ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ରବିବାର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥିବା ଏହି ୱେବ୍ ମାଗାଜିନ୍‌ରେ ପ୍ରକାଶ ପାଇଛି।

ବିୟୁଟି ପାର୍ଲରକୁ କୌଣସି ଉଦ୍ଦେଶ୍ୟ ରଖି ଯାଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ନବୀନ ନନ୍ଦ।  ସେ କହିଛନ୍ତି, “କୋଲକାତାରେ ସେ ପକେଟ୍‌ମାର୍‌ଙ୍କ ଶିକାର ହୋଇଥିଲେ। ତେବେ ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିବା ବେଳେ ଚୋରଟି ଏକ ହୋଟେଲରେ ପଶିଯାଇଥିଲା। ସେହି ସମୟରେ ହୋଟେଲ୍‌ରେ ରେଡ୍ ଚାଲିଥିବାବେଳେ ପୋଲିସ୍ ଉଭୟଙ୍କୁ ପଚରାଉଚରା କରିଥିଲା। ପାଖରେ ଫୋନ ନ ଥିବାରୁ ସେ ଘର ଲୋକଙ୍କ ସହ ସହ ଯୋଗାଯୋଗ କରିପାରିନଥିଲେ।”

ନବୀନ ଗତ ୨୯ ତାରିଖରେ ନିଜ ବ୍ୟବସାୟିକ କାର୍ଯ୍ୟରେ କୋଲକାତା ଯାଇଥିଲେ। ସେଠାରେ ସେ ସେକ୍ସପିୟର ସରଣୀ ‘ହୋଟେଲ ଅରିସ’ ରୁମ୍‌ ନମ୍ବର ୪୦୩ରେ ରହୁଥିଲେ। ଶନିବାର ତାଙ୍କର ଘରକୁ ଫେରିବାର ଥିଲା।

ନଫେରିବାରୁ ତାଙ୍କ ପୁଅ ସମ୍ବିତ୍‌ ନନ୍ଦ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର, ତାଙ୍କ ଫୋନ୍‌ ବନ୍ଦ ରହିଥିଲା। ସମ୍ବିତ୍‌ଙ୍କ କହିବାନୁସାରେ, ଶନିବାର ସନ୍ଧ୍ୟା ସାଢ଼େ ୭ଟାବେଳେ ସେ ମୋବାଇଲରେ ଶେଷଥର କଥା ହୋଇଥିଲେ। କୌଣସି ଖୋଜ୍‌ ଖବର ନମିଳିବାରୁ ସେ କୋଲକାତାରେ ପହଞ୍ଚଥିଲେ। ସେ ରହୁଥିବା ହୋଟେଲ୍‌ ରୁମ୍‌ରେ ତାଙ୍କ ଲାପ୍‌ଟପ୍‌, ଅନ୍ୟ ଜିନିଷପତ୍ର ଥିଲା।

ହୋଟେଲ୍‌ ମ୍ୟାନେଜରଙ୍କୁ ପଚାରିବା ସତ୍ତ୍ୱେ ସମ୍ବିତ୍‌ ବାପାଙ୍କର କୌଣସି ସନ୍ଧାନ ପାଇନଥିଲେ। କେବଳ ଭୋର୍‌ ୪ଟା ୪ଟା ୩୦ ମିନିଟ୍‌ ମଧ୍ୟରେ ସେ କେଉଁଆଡ଼େ ଚାଲିଯାଇଥିବା କହିଥିଲେ।

କୌଣସି ସୂଚନା ନପାଇବାରୁ ନବୀନ ନିଖୋଜ ହୋଇଯାଇଥିବା ନେଇ ପୁଅ ସମ୍ବିତ୍‌ ସେକ୍ସପିୟର୍‌ ସରଣୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ହୋଟେଲ୍‌ ଛାଡ଼ିବାର ୧୩ ଘଣ୍ଟା ପରେ ଅର୍ଥାତ୍‌ ସଂଧ୍ୟା ୫ଟା ୪୦ରେ ନବୀନ ରହୁଥିବା ହୋଟେଲକୁ ଫେରି ଆସିଥିବା ସମ୍ବିତ୍‌ ସୂଚନା ଦେଇଥିଲେ।

ସମ୍ବିତ୍‌ଙ୍କ କହିବା ଅନୁଯାୟୀ, ତାଙ୍କ ବାପା ରହୁଥିବା ହୋଟେଲ୍‌ଠାରୁ ୪୦ କିମି ଦୂରକୁ କୌଣସି କାମରେ ଯାଇଥିଲେ। ସେଠାରେ ତାଙ୍କ ମୋବାଇଲ୍‌ ଫୋନ୍‌, ଆଧାର କାର୍ଡ ଓ ପର୍ସ ଆଦି ଲୁଟ୍‌ ହୋଇଗଲା। କୋଲକାତା ଭଳି ଜାଗାରେ କାହାକୁ ଏହା ଜଣାଇବେ, କିଏ ତାଙ୍କ ଦୁଃଖ ଶୁଣିବ ଭାବି ୪୦ କିମି ରାସ୍ତା ଚାଲି ଚାଲି ଆସି ହୋଟେଲରେ ପହଞ୍ଚିଥିଲେ। ତେବେ ନବୀନଙ୍କଠାରୁ କେଉଁଠାରେ ଲୁଟ୍‌ ହେଲା ସେ ସମ୍ପର୍କରେ କିଛି ସୂଚନା ଦେଇନଥିଲେ।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ୧୩ ଘଣ୍ଟା ଧରି ତାଙ୍କର କୌଣସି ପତ୍ତା ନ ମିଳିବା ଏବଂ ୪୦ କିଲୋମିଟର ଧରି ଚାଲିଚାଲି ଆସି ହୋଟେଲ୍‌ରେ ପହଞ୍ଚିବାକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ନବୀନ ନନ୍ଦ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏନେଇ ସେ ଆଇନଗତ ପଦକ୍ଷେପ ନେବେ ବୋଲି ମଧ୍ୟ କହିଛନ୍ତି।

Comment