ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରଥଯାତ୍ରା ଲାଗି ଶେଷ ସମନ୍ଵୟ କମିଟି ବୈଠକ
  • ସେବାୟତଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
  • ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ କିପରି ତାଳମେଳ ରହିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ
  • ସମ୍ପୂର୍ଣ୍ଣ ସହଯୋଗ କରିବେ ଛତିଶା ନିଯୋଗର ପ୍ରତିନିଧି
  • ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍‌ ଓ ସ୍ୱରେଜ୍‌ ବ୍ୟବସ୍ଥା ଉପରେ ଆଲୋଚନା
  • ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସନ୍ତୋଷପ୍ରକାଶ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ଵୟ କ­­­­­ମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ­­­ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆହ୍ଵାନ କରିଥିଲେ। ଏଥିସହ ରଥଯାତ୍ରାକୁ ସୁଚାରୁ ରୂପେ ଶେଷ କରିବାକୁ ସେବାୟତମାନଙ୍କ ସହଯୋଗ ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ଵାନକୁ ବୈଠକରେ ଉପସ୍ଥିତ ଥିବା ଛତିଶା ନିଯୋଗର ପ୍ରତିନିଧି ଗ୍ରହଣ କରି ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପୁରୀର ଗୋପବନ୍ଧୁ ଆର୍ୟୁବେଦ କଲେଜ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗରୁ ସେବାୟତମାନେ ବୈଠକ ବସିବ ବର୍ଜନ କରିବାର ଧମକ ଦେଇ ପୋଷ୍ଟର ମାରିଥିଲେ, ଶୁକ୍ରବାରଦିନ ବୈଠକରେ ସେମାନେ ଉପସ୍ଥିତ ରହିଥିଲେ।

ଏହି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ରଥଯାତ୍ରାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ନୀତିକନ୍ତି ସଂପନ୍ନ କରୁଥିବା ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ କିପରି ତାଳମେଳ ରହିବା ସହ କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଯାତ୍ରା ଶୃଙ୍ଖଳାର ସହ ସଂପନ୍ନ ହେବ ତା’ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥି ସହ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍‌ ଓ ସ୍ୱରେଜ୍‌ ବ୍ୟବସ୍ଥା କିଭଳି ଠିକ୍‌ ରହିବ ସେ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ, ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ରଥଯାତ୍ରା ସହ ସଂପର୍କିତ ସମସ୍ତ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇନମନ୍ତ୍ରୀ ପ୍ରତାପ ଜେନା ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ମୁଖ୍ୟ ସଚିବ ଆଦିତ୍ୟ ପାଢୀ, ପୁଲିସ ମହାନିର୍ଦ୍ଦେଶକ ଆର୍‌ପି ଶର୍ମା, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ପୁରୀ ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଓ ଛତିଶାନିଯୋଗର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ।

ଜୁନ୍‌ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କେତେକ ସେବାୟତ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନାଗତ ତୃଟିକୁ ବିରୋଧ କରି ବୈଠକରେ ଯୋଗ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ଫଳରେ ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା।

Comment