ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଶ୍ରଦ୍ଧାଳୁଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରଥଯାତ୍ରାରେ ୩୧ ଜଣ ବିଶେଷଜ୍ଞଙ୍କ ସମେତ ମୋଟ ୧୬୭ ଜଣ ଅଧିକ ଡାକ୍ତରଙ୍କୁ ମୁତୟନ କରାଯିବ। ସେହିପରି ୧୬୦ ଜଣ ପାରାମେଡିକ, ୨୦ ଜଣ ଷ୍ଟାଫନର୍ସ ଏବଂ ୧୯୪ ଆଟେଣ୍ଡାଣ୍ଟଙ୍କୁ ନିୟୋଜିତ କରାଯିବ।

ପୁରୀ ସହର ସମେତ ଜାତୀୟ ରାଜପଥରେ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବ। ସେଥିରୁ ସରକାରଙ୍କ ତରଫରୁ ୩୪ ଟି ଏବଂ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ୩୬ ଟି ଖୋଲିବ। ସମସ୍ତ ଆଶୁଚିକିତ୍ସା କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଏବଂ ଜରୁରୀକାଳୀନ କିଟ୍ ଉପଲବ୍ଧ ରହିବ।

ସେହିପରି ୬୮ଟି ଆମ୍ବୁଲାନ୍ସ ନିର୍ଦ୍ଧାରିତ ସ୍ଥାନମାନଙ୍କର ମୁତୟନ ହେବ। ସେଥିରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ଏବଂ ୩୮ ଟି ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥାମାନଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ୨ଟି ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ୧୫ ଟି ହୁଇଲ୍ ଚେୟାର ଏବଂ ୩୦ଟି ଷ୍ଟ୍ରେଚର ମଧ୍ୟ ରଖାଯାଇଛି। ଚିକିତ୍ସା ପାଇଁ ଯଦି ରକ୍ତର ଆବଶ୍ୟକ ପଡ଼େ ସେଥିପାଇଁ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରଖାଯିବାର ବ୍ୟବସ୍ଥା ହୋଇଛି।

ପୁରୀ ସଦର ମହକୁମା ଡାକ୍ତରଖାନା ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ମୋଟ ୮୧ଟି ଅଧିକ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ନିରାମୟ ଯୋଜନାରେ ବିନାମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯିବ।

ପୁରୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଏବଂ ଖାଦ୍ୟପଦାର୍ଥ ଯାଞ୍ଚ ଆରମ୍ଭ ହୋଇଛି। ୯୧୩ଟି ହୋଟେଲ, ଫାଷ୍ଟଫୁଡ୍ ସେଣ୍ଟର ଯାଞ୍ଚ କରାଯାଇ ୬୧୯ କେଜି ବାସିଖାଦ୍ୟ ନଷ୍ଟ କରାଯାଇଛି।

୯୮ ଜଣଙ୍କ ବିରୋଧରେ ମାମଲା ରୁଜୁ ଏବଂ ୨୯, ୬୯୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ।

ସଚିବାଳୟଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ମେଡିକାଲ ନିଗମ ଏମଡି ଅର୍ଚ୍ଚନା ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଶରତ ମିଶ୍ର, ଯୁଗ୍ମ ଶାସନ ସଚିବ ସୁବାନନ୍ଦ ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here