ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ରେ କରୋନା ମୁକାବିଲା
  • ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
  • ରାଉରକେଲାରେ ଲାଗିବ ଆର୍‌ଟିପିସିଆର୍‌ ମେସିନ
  • ଔଷଧ, ପିପିଇ କିଟ୍‌ ଏବଂ ଆଣ୍ଟିଜେନ୍‌ କିଟ୍‌ ମହଜୁଦ ଅଛି
  • କରୋନା ମୁକାବିଲା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

‘‘ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଟେଷ୍ଟିଂ ବଢାଯିବ। ଟେଷ୍ଟ, ଟ୍ରାକ ଏବଂ ଆଇସୋଲେସନ ଫର୍ମୁଲାରେ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯିବ । ଯେତେ ଅଧିକ ଟେଷ୍ଟିଂ ହେବ ସେହି ଅନୁସାରେ ଅଧିକ ଆକ୍ରାନ୍ତ ବାହାରିବେ। ଫଳରେ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ କରାଯିବ’’, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଗତ ୩୧ ତାରିଖରେ ଆଇଜିଏଚ୍‌ ରାଉରକେଲାଠାରେ ପ୍ଲାଜମା ବ୍ୟାଙ୍କ ଖୋଲିଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ। ଏହି ଅବସରରେ ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଟେଷ୍ଟିଂ ବଢ଼ାଇବା ଉପରେ ସୂଚନା ଦେଇଥିଲେ।

ଶ୍ରୀ ମହାପାତ୍ର ଆହୁରି କହିଥିଲେ ଯେ, ଆଇଜିଏଚ୍‌ରେ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ଆଉ ଏକ ଆର୍‌ଟିପିସିଆର୍‌ ମେସିନ ଲଗାଯିବ। ଏହି ମେସିନ୍‌ ଲାଗିବା ପରେ ଲୋକେ ଉପକୃତ ହେବେ। ଏବେ ଆଇଜିଏଚ୍‌ରେ ଦିନକୁ ୩୦୦ ନମୁନା ପରୀକ୍ଷା ହେଉଛି। ଆଉ ଗୋଟିଏ ମେସିନ ଲାଗିଲେ ଦିନକୁ ୬୦୦ରୁ ୭୦୦ ନମୁନା ପରୀକ୍ଷା କରାଯାଇ ପାରିବ। ଏହି ଆର୍‌ଟିପିସିଆର୍‌ ମେସିନ ଲଗାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଆର୍ଥିକ ସହାୟତା ଯୋଗାଇ ଦେବ।

ଏହାସହ ରାଉରକେଲାରେ ଆଉ ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲର ଆବଶ୍ୟକତା ପଡୁଛି। ଏଣୁ ଆଉ ଗୋଟିଏ ହସ୍ପିଟାଲ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଯଦି ରାଉରକେଲାରେ ଆଉ ଗୋଟିଏ ହସ୍ପିଟାଲ ଖୋଲିବା ସମ୍ଭବ ହେବନି ତାହାଲେ ଏନଟିପିସି ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଔଷଧ, ପିପିଇ କିଟ୍‌ ଏବଂ ଆଣ୍ଟିଜେନ୍‌ କିଟ୍‌ ଏଠାରେ ମହଜୁଦ ରହିଛି। ଆଗାମୀ ଦିନରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

‘‘ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ଥିଲା। ଏହାକୁ ଦୃଷ୍ଟିରେ ରଖି ଆଇଜିଏଚ୍‌ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କରାଯାଇଛି। କରୋନାରୁ ସୁସ୍ଥ ହୋଇଥିବା ୧୦୦ ଜଣ ଲୋକ ପ୍ଲାଜମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ’’, ଏହି ଅପିଲ୍‌ କରିଛନ୍ତି ପ୍ରଦୀପ୍ତ ମହାପାତ୍ର।

ବର୍ତ୍ତମାନ ସୁନ୍ଦରଗଡ଼ରେ ଏନଟିପିସି ମେଡିକାଲ କଲେଜରେ କୋଭିଡ୍‌ ହେଲ୍‌ଥ ସେଣ୍ଟର ସହ ନମୁନା ସଂଗ୍ରହ କେନ୍ଦ୍ର ରହିଛି। ରାଉରକେଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଏହା ସହ ନମୁନା ପରୀକ୍ଷଣ କେନ୍ଦ୍ର ରହିଛି। ଏବେ ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲାଯିବା ଫଳରେ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ।

Comment