ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ‘ଜାତୀୟ ଡାକ୍ତର ଦିବସ’। ସମାଜରେ ଡାକ୍ତରମାନଙ୍କୁ ଦ୍ଵିତୀୟ ଭଗବାନଙ୍କର ଆଖ୍ୟା ଦିଆଯାଇଛି। ଭଗବାନଙ୍କ ବାସ୍ତବ ରୂପକୁ କେହି ଦେଖିନାହାନ୍ତି ସତ କିନ୍ତୁ ଡାକ୍ତରଟିଏ ରୋଗୀର ଜୀବନ ରକ୍ଷା କରି ଭଗବାନଙ୍କ ଚଳନ୍ତି ପ୍ରତିମା ଭାବେ ଉଭା ହୋଇଥାଏ। ତେଣୁ ଡାକ୍ତରମାନଙ୍କ ତ୍ୟାଗ ଓ ଉତ୍ସର୍ଗପୂର୍ଣ୍ଣ ଭାବନାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥାଏ।କେବେଠାରୁ ଓ କାହିଁକି ପାଳନ ହେଉଛି?

ଦେଶରେ ପ୍ରଥମେ ୧୯୯୧ ମସିହା ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥିଲା। ମହାନ୍ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ।

ଡାକ୍ତର ରାୟ ୧୮୮୨ ମସିହା ଜୁଲାଇ ୧ରେ ପାଟଣାରେ ଜନ୍ମ ହୋଇଥିଲେ। ସେ ଏକାଧାରାରେ ଜଣେ ଡାକ୍ତର, ଫିଲାନଟ୍ରୋପିଷ୍ଟ ଓ ଶିକ୍ଷାବିତ୍ ଥିଲେ। ୧୯୬୧ ମସିହାରେ ଅର୍ଥାତ୍ ତାଙ୍କ ମୃତ୍ୟୁର ୧ବର୍ଷ ପୂର୍ବରୁ ସେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ଏବଂ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଗଠନ ଦିଗରେ ତାଙ୍କର ଅବଦାନ ଅତୂଳନୀୟ।ଡାକ୍ତର ଦିବସର ମହତ୍ତ୍ଵ

ଆଜିର ଦିନରେ ଡାକ୍ତରମାନଙ୍କର ଯେତେ ବି ପ୍ରଶଂସା କଲେ, ତାହା କମ୍ ହେବ। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ସଙ୍କଟ ସମୟରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଯେତେବେଳେ କରୋନା ଭୂତାଣୁ ଡରରେ ନିଜ ସମ୍ପର୍କୀୟ ପାଖ ମାଡ଼ୁନାହାନ୍ତି, ସେହି ସମୟରେ ଜଣେ ଡାକ୍ତର ରୋଗୀର ସଂସ୍ପର୍ଶରେ ଆସି ତାକୁ ସେବା ଯୋଗାଇବା ସହ, ତା’ ମନବଳକୁ ସୁଦୃଢ଼ କରିଥାଏ। ଫଳରେ ଏ ଅଦୃଶ ଭୂତାଣୁକୁ ଶୀଘ୍ର ହରେଇବା ପାଇଁ ରୋଗୀ ସକ୍ଷମ ହୋଇପାରୁଛି। ପ୍ରଥମ ଲହର କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ନୂଆ ଥିଲା। ସେହି ସମୟରେ କୌଣସି ପ୍ରତିଷେଧକ ମଧ୍ୟ ବାହାରି ନଥିଲା। କହିବାକୁ ଗଲେ, ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ବି ଏହି ଭୂତାଣୁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତରମାନେ ହାରି ନଥିଲେ କି ପଛଘୁଞ୍ଚା ଦେଇନଥିଲେ। ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସେମାନେ ଶହ ଶହ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ।

Comment