ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ଗତ ଦୁଇ ଦିନ ହେଲା ରାଜ୍ୟବାସୀଙ୍କ ମନରେ ଭୟ ବଢ଼ିଛି। ଦୁଇ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୦ ଟପିଥିବାରୁ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗତକାଲି ୧୦୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୭୮ ଜଣ ଚିହ୍ନଟ ହେବା ସବୁଠି ଚହଳ ପକାଇ ଦେଇଛି।

ଜୁଲାଇ ପହିଲାରୁ ୨୧ ତାରିଖ ଯାଏଁ ୫୦୦ କିମ୍ବା ୭୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଗତ ଦୁଇ ଦିନ ହେଲା ଏହି ଧାରା ଭାଙ୍ଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପୁଛି। ତେବେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛର କାରଣ ରାଜ୍ୟ ସରକାର କହିଛନ୍ତି। ସଂକ୍ରମଣ ବଢ଼ିବାକୁ ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

CGU newକାହିଁକି ସଂକ୍ରମିତଙ୍କ ସଂଖ୍ୟା ବଢୁଛି?

ଓଡ଼ିଶାର ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେବାରୁ ରାଜ୍ୟ ସରକାର ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବା ସହ ଜୋରଦାର ଟେଷ୍ଟିଂ ଆରମ୍ଭ କରାଯାଇଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଏପଟେ ଟେଷ୍ଟିଂ ସଂଖ୍ୟା ବି ସରକାର ବଢ଼ାଇଛନ୍ତି। ଏଥିପାଇଁ ଗତ ଦୁଇଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ରାଜ୍ୟ ସରକାର କହିଛନ୍ତି।

‘‘କରୋନା ନୟନ୍ତ୍ରଣ ପାଇଁ ଏବେ ଘର ଘର ବୁଲି ସର୍ଭେ କରାଯାଉଛି। ଅଙ୍ଗନବାଡ଼ି, ଆଶା କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଲୁଚିକି ରହନ୍ତୁ ନାହିଁ। ସର୍ଭେ ଟିମ୍‌ ପାଖକୁ ଆସିବା ସହ ସରକାରଙ୍କୁ ଅବଗତ କରନ୍ତୁ। ସେମାନେ ଠିକ୍‌ ସମୟରେ ଆସିଲେ ହିଁ କରୋନା ସଂକ୍ରମଣ ରୋକିହେବ। ବିନାଲକ୍ଷଣ ରୋଗୀ ଘରେ କ୍ୱାରେଣ୍ଟାଇନରେ ରହନ୍ତୁ। କେସ୍‌ ବଢ଼ିଲେ ବି କେହି ଚିନ୍ତା କରନ୍ତୁ ନାହିଁ’’, କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ଓଡ଼ିଶାରେ ଆରୋଗ୍ୟ ହାର ଭଲ

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ରାଜ୍ୟରେ ଆରୋଗ୍ୟ ହାର ୬୫ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର .୫୪ ପ୍ରତିଶତ ରହିଛି। ଲକ୍ଷଣ ଦେଖାଦେବା ମାତ୍ରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଅପିଲ୍‌ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ।

ବର୍ତ୍ତମାନସୁଦ୍ଧା ରାଜ୍ୟରେ ୨୧ ହଜାର ୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ୧୪ ହଜାର ୩୯୩ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୫୬୧ ରହିଛି। ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି।

ଦିନକୁ ୧୧ ହଜାର ଟେଷ୍ଟିଂ

ଏବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଛି। ଦିନକୁ ୧୧ ହଜାର ଟେଷ୍ଟିଂ କରାଯାଉଛି। ଗତ ମାର୍ଚ୍ଚ ୧୫ ତାରିଖରେ କେବଳ ଆର୍‌ଏମ୍‌ଆର୍‌ସିରେ କରୋନା ପରୀକ୍ଷା କରାଯାଉଥିଲା। ଏବେ ୧୯ଟି ଜାଗାରେ ଟେଷ୍ଟିଂ କରାଯାଉଛି। ଆଗକୁ ଆଉ ୬ଟି ଜାଗାରେ ଟେଷ୍ଟିଂ କରାଯିବ।

ଟେଷ୍ଟିଂ ବଢ଼ୁଥିବାରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଆଗକୁ ଆହୁରି ଟେଷ୍ଟିଂ ସଂଖ୍ୟା ବଢ଼ିଲେ ସଂକ୍ରମିତ ସଂଖ୍ୟା ବି ବଢ଼ି ଚାଲିବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସରୁ ଜୁନ୍‌ ଶେଷ ଯାଏଁ ରାଜ୍ୟରେ କମ୍‌ ଟେଷ୍ଟିଂ କରାଯାଉଥିଲା। ଫଳରେ ସେହି ଅନୁସାରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

୪ ମାସ ପାଇଁ ସରକାର ପ୍ରସ୍ତୁତ

ଆସନ୍ତା ୪ ମାସ ପାଇଁ କୋଭିଡ୍‌-୧୯ ଉପକରଣ ମହୁଜଦ ରହିଛି। ୩ ଲକ୍ଷ ଆଣ୍ଟିଜେନ କିଟ୍‌ ମହଜୁଦ ରହିଥିବା ବେଳେ ପିପିଇ କିଟ୍‌, ଏନ୍‌-୯୫ ମାସ୍କ ଏବଂ ସାନିଟାଇଜର ବି ମହଜୁଦ ରହିଛି। ଏଣୁ ଲୋକେ କରୋନା ସଂକ୍ରମଣକୁ ଦେଖି ଚିନ୍ତା ନକରିବାକୁ ସେ ଅପିଲ୍‌ କରିଛନ୍ତି।

Comment