ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ। ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ପାଇଁ ଶନିବାର ଦିନ ରାଜ୍ୟର ୫ଟି ମେଡିକାଲ ହସ୍ପିଟାଲ ଓ କଲେଜରେ ଟିଚିଂ ହସ୍ପିଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ମୁଖ୍ୟମନ୍ତ୍ରୀ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି।

ଉଦଘାଟିତ ହୋଇଥିବା ଟିଚିଂ ହସ୍ପିଟାଲଗୁଡ଼ିକ ମଧ୍ୟରେ ରହିଛି ବଲାଙ୍ଗିର ଜିଲ୍ଲାର ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ମୟୂରଭଞ୍ଜ ଜିଲ୍ଲା ବାରିପଦାର ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ସୁନ୍ଦରଗଡ଼ ଜିଲ୍ଲାର ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝର ଜିଲ୍ଲାର ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବାଲେଶ୍ୱର ଜିଲ୍ଲାର ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ।

ଏହା ସହିତ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରର ଏମକେସିଜି ମେଡିକାଲ ହସ୍ପିଟାଲ ଓ କଲେଜ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ଲାଗି ଭିତ୍ତି ପ୍ରସ୍ତର ରଖାଯାଇଛି। ଏଥିପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆଜି ଦିନଟି ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇରହିବ। ଆଜି ଗୋଟିଏ ଦିନରେ ୫ଟି ମେଡିକାଲ ହସ୍ପିଟାଲ ଓ କଲେଜରେ ୨,୯୫୦ ଶଯ୍ୟା ଯୋଡ଼ି ହେଲା। ଏଥିପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବଲାଙ୍ଗିରରୁ ବାରିପଦା, ସୁନ୍ଦରଗଡ଼ରୁ କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ଉପକୃତ ହୋଇପାରିବେ। ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ମୋ ସରକାରର ଲକ୍ଷ୍ୟ ରହିଛି।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଦିନ ଥିଲା ଓଡ଼ିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢ଼ି ଉଠିଛି। ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି।

ପୂର୍ବରୁ ବର୍ଷକୁ ମାତ୍ର ୩୨୧ ଜଣ ଏମବିବିଏସ ଡାକ୍ତର ଓ ୨୫୪ ଜଣ ସ୍ପେସିଆଲିଷ୍ଟ ବାହାରୁ ଥିଲେ। ଏବେ ୨,୫୨୫ ଏମବିବିଏସ ଡାକ୍ତର ଓ ୯୭୨ ଜଣ ସ୍ପେସିଆଲିଷ୍ଟ ବାହାରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ୫-ଟି  ଉପକ୍ରମରେ ଓଡ଼ିଶାରେ ଆଜି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରଣ ଆସିଛି।

Tags: #TeachingHospital #OdishaGovtHospital #OdishaGovt #CMNaveenPatnaik #Odisha

LEAVE A REPLY

Please enter your comment!
Please enter your name here