ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରାଇମବ୍ରାଞ୍ଚ କବ୍‌ଜାରେ ଗ୍ୟାଙ୍ଗଷ୍ଟର ଟିଟୋ। ଆଳୁ ବେପାରୀରୁ ଅପରାଧ ଜଗତର ବାଦଶାହ ପାଲଟିଥିବା ଟିଟୋ ସାମ୍ରାଜ୍ୟ ଉପରୁ ଉଠୁଛି ପରଦା।

ସୟଦ ଉସମାନ ଅଲ୍ଲୀ ଓରଫ୍ ଟିଟୋ। ଏହି ନାଁ ଶୁଣିଲେ କେନ୍ଦ୍ରାପଡ଼ାରୁ କଟକ ଥରି ଉଠୁଥିଲା। ଦାଦାବଟି, ଟେଣ୍ଡର ଫିକ୍ସିଂ କରି ଟିଟୋ ଅପରାଧ ଦୁନିଆର ବାଦ୍‌ଶାହ ସାଜିଥିଲା। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଟିଟୋ ପୋଲିସକୁ ଚକମା ଦେଖାଇଥିଲା। ହେଲେ ଟିଟୋ ଏବେ ପୋଲିସ କବ୍‌ଜାକୁ ଆସିବା ପରେ ଟିଟୋ ଅପରାଧ ସାମ୍ରାଜ୍ୟର ଗୁମର ଖୋଲୁଛି। ଆଳୁ ବେପାରୀରୁ କୋଟିପତି ସାଜିଥିବା ଟିଟୋର ସବୁ ସମ୍ପତ୍ତିକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ।

୯୦ ଦଶକରେ ଟିଟୋ ଆଳୁ ବେପାର କରୁଥିଲା। କେନ୍ଦ୍ରାପଡ଼ା ଅଞ୍ଚଳରେ ଆଳୁ ବେପାର କରିବା ସହ ଛୋଟ ଛୋଟ ଅପରାଧ ଘଟାଉଥିଲା। ହେଲେ ୧୯୯୮୯ରେ ଟିଟୋ ଆସିଲା ଚର୍ଚ୍ଚାକୁ। ଫୁଟବଲ ପଡ଼ିଆର ଏକ ଗଣ୍ଡଗୋଳରୁ ଟିଟୋ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା।

ଟିଟୋ ଅପରାଧ ଜଗତରେ ପ୍ରବେଶ କରିବା ପୂର୍ବରୁ ସୁଲେମାନ ଏବଂ ହାଇଦର ଗ୍ୟାଙ୍ଗର ଚାଲିଥିଲା ରାଜୁତି। ଟିଟୋ ପ୍ରଥମେ ଏହି ଦୁଇ ଗ୍ୟାଙ୍ଗ ସହ ସମ୍ପର୍କ ରକ୍ଷା କରିଥିଲା। ହେଲେ ଟିଟୋ ଚାହୁଁଥିଲା କେନ୍ଦ୍ରାପଡ଼ା ଓ କଟକରେ ନିଜେ ରାଜୁତି କରିବାକୁ। ଏଣୁ ସେ ପ୍ରଥମେ ଟାର୍ଗେଟ କରିଥିଲା ସୁଲେମାନକୁ। ୨୦୦୯ରେ ସୁଲେମାନର ହତ୍ୟା ହୋଇଥିଲା। ଏହା ପଛରେ ଟିଟୋର ହାତ ଥିବା ଅଭିଯୋଗ ହୋଇଥିଲା।

ସୁଲେମାନର ଦୁଇ ସହଯୋଗୀ ବିଭାସ ମହାନ୍ତି ଓ ଟୁଟୁ ନାୟକ ଅପରାଧ ସାମ୍ରାଜ୍ୟ ଚଳାଇଥିଲେ। କିନ୍ତୁ ଟିଟୋ ଏହି ଦୁଇ ଜଣଙ୍କୁ ବି ଛାଡ଼ି ନଥିଲା। ପ୍ରଥମେ ବିଭାସ ମହାନ୍ତିଙ୍କୁ ରାସ୍ତାରୁ ହଟାଇବା ପରେ ଟୁଟୁର ଗୁଳିବିଦ୍ଧ ଶରୀର ଆଠଗଡ଼ ଅଞ୍ଚଳରୁ ମିଳିଥିଲା। ହେଲେ ଟିଟୋକୁ ଧରି ପାରିନଥିଲା ପୋଲିସ।

ପରେ ହାଇଦରକୁ ଜେଲ୍ ହୋଇଥିଲା। ଏହି ମଉକାରେ ଟିଟୋ ତାର ନେଟୱର୍କ ଚଳାଇଥିଲା। କେନ୍ଦ୍ରାପଡ଼ାରୁ କଟକ, ଭୁବନେଶ୍ୱରରୁ ପାରାଦୀପ ସବୁଠି ଚାଲିଥିଲା ଟିଟୋର ହୁକୁମାତି। ଧଳସାମନ୍ତ ବ୍ରଦର୍ସ ଜେଲ୍ ଯିବା ପରେ ଟିଟୋ ପୁଣି ସକ୍ରିୟ ହୋଇଥିଲା।

ବାଲିଘାଟ ନିଲାମଠୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ କରି ଟିଟୋ ଅତଙ୍କ ସୃଷ୍ଟି କରୁଥିଲା।

ଫିଟିଲା ଗ୍ୟାଙ୍ଗଷ୍ଟରର ମଠ ଗୁମର

ଟିଟୋ ଏନକାଉଣ୍ଟର ହେବା ପରେ ତା’ ସ୍ତ୍ରୀ ଦେଇଥିଲା ଚାଞ୍ଚଲ୍ୟକର ବୟାନ। ୫ ବର୍ଷ ହେଲା ଟିଟୋ ଭଲ ଲୋକ ହୋଇଯାଇଛି। ହେଲେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ପରେ ଭଲ ଲୋକର ଚେହେରା ପଛରେ ଲୁଚି ରହିଥିବା ଅପରାଧ ଦୁନିଆର ଲମ୍ବା ତାଲିକା ସାମ୍ନାକୁ ଆସୁଛି।

ଟିଟୋ କେନ୍ଦ୍ରାପଡ଼ାରେ ଖୋଲିଥିଲା ମଠ। ମଠ ବାହାରେ ଲେଖାଯାଇଥିଲା ମହିଳା ଏବଂ ମଦୁଆଙ୍କୁ ପ୍ରବେଶ ମନା। ଏହି ଫଳକକୁ ଦେଖି ଯିଏ କେହି ଭାବିବ ଏଠାରେ କିଛି ଖରାପ କାମ ଚାଲୁନି। କିନ୍ତୁ ଅସଲ କଥା ହେଉଛି ଏହି ମଠରୁ ହିଁ ତିଆରି ହେଉଥିଲା ଅପରାଧର ବ୍ଲୁ-ପ୍ରିଣ୍ଟ।

କେନ୍ଦ୍ରାପଡ଼ା ଡିଲାରପୁରରେ ହେଉଛି ଟିଟୋର ଘରା। ଘରଠାରୁ ମାତ୍ର ୫୦ ଫୁଟ ଦୂରରେ ରହିଥିଲା ଗ୍ୟାଙ୍ଗଷ୍ଟରର ମଠ। ଏହି ମଠର ମହନ୍ତ ସାଜିଥିଲା ନିଜେ ଟିଟୋ। ଧଳା ସାର୍ଟ ପିନ୍ଧି ଟିଟୋ ମହନ୍ତ ସିଟ୍‌ରେ ବସୁଥିଲା। କେଉଁଠି କ’ଣ ଘଟିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ଟିଟୋ ଏହି ମଠରେ ହିଁ ବଡ଼ ବଡ଼ ଡିଲ୍ କରୁଥିଲା।

ଏହି ମଠକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ମଠ ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି। ପରେ କେନ୍ଦ୍ରାପଡ଼ାରେ ଥିବା ପେଟ୍ରୋଲ ପମ୍ପ, ପାରାଦୀପରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିଛି ପୋଲିସ।

ରାଜ୍ୟ ବାହାରେ ଲିଙ୍କ୍!

ଟିଟୋର ଅପରାଧ ସାମ୍ରାଜ୍ୟ କେବଳ ଓଡ଼ିଶାରେ ସୀମିତ ନଥିଲା। ରାଜ୍ୟ ବାହାରକୁ ଲମ୍ବିଥିଲା ଅପରାଧର ଚେର। ଉଟି ଏବଂ ହାଇଦ୍ରାବାଦରେ ଟିଟୋର ହୋଟେଲ ଥିବା ନେଇ ସୁରାକ୍ ମିଳିଛି। ସେହିପରି କୋଲକାତାରେ ଦେଢ଼ କୋଟି ଟଙ୍କାର ପ୍ଲଟ ଠାବ କରିଛି ପୋଲିସ। ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରବିବାର କୋଲକାତା ଯାଇଥିବା ଜଣାପଡ଼ିଛି।

ଗ୍ୟାଙ୍ଗଷ୍ଟରର ଦାମୀ ଗାଡ଼ି

ଆଳୁ ବେପାରର ଅପରାଧ ଦୁନିଆର ବାଦଶାହ ପାଲଟିଥିବା ଟିଟୋ ପାଲଟିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ। ଟିଟୋ ଚଢ଼ୁଥିବା ଅଡ଼ି କାର୍‌କୁ ପୋଲିସ ଜବତ କରିଛି। ଏହି ଗାଡ଼ିର ମୂଲ୍ୟ ୫୦ ଲକ୍ଷରୁ ଅଧିକ। ଏହାସହ ଟିଟୋ ୨୦ ଲକ୍ଷ ଟଙ୍କାର ଜାଗୁଆର ଗାଡ଼ି ଚଢ଼ୁଥିବା ପୋଲିସକୁ ସୁରାକ ମିଳିଛି। ହେଲେ ସେ ଗାଡ଼ିର ପତ୍ତା ମିଳିନି। କଳା ଟଙ୍କାକୁ ଧଳା କରିବା ପାଇଁ ଟିଟୋ ଏକାଧିକ ବ୍ୟବସାୟ ସାମ୍ରାଜ୍ୟରେ ଟଙ୍କା ଲଗାଇଥିଲା।

ସ୍ତ୍ରୀ ଓ ଭାଇ ବି ସାମିଲ!

ଟିଟୋ ଭଲ ଲୋକ ହୋଇଯାଇଥିବା ଦର୍ଶାଉଥିବା ଗ୍ୟାଙ୍ଗଷ୍ଟରର ସ୍ତ୍ରୀ ବେନଜିର ବିବି ବି ଏହି ଅପରାଧ ଦୁନିଆରୁ ବାଦ ପଡ଼ିନି। ଟିଟୋ ଚଳାଇଥିବା ବନେଜିର ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଥିଲେ ଟିଟୋର ସ୍ତ୍ରୀ ବେନଜିର୍। ତାଙ୍କରି ନାଁରେ ଏହି କମ୍ପାନି ଖୋଲା ଯାଇଥିଲା। ଏହି କମ୍ପାନିର ୩ ଜଣ ଡାଇରେକ୍ଟର ଥିଲେ। ସୟଦ ଜାଭେଦ ଅଲ୍ଲୀ, ସୟଦ ଦିଲସାଦ ଅଲ୍ଲୀ, ସୟଦ ଇମାମ ଅଲ୍ଲୀ। ଏମାନେ ହେଉଛନ୍ତି ଟିଟୋର ଭାଇ। ହେଲେ ସେମାନେ ଫେରାର ଅଛନ୍ତି।

ଟିଟୋ ଏବେ କ୍ରାଇମବ୍ରାଞ୍ଚ କବ୍‌ଜାରେ। ଡନ୍‌କୁ ପୁଣି ଚାରି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏବେ ଅପେକ୍ଷା ଟିଟୋ ଅପରାଧର ସାମ୍ରାଜ୍ୟ ଉପରୁ କ୍ରାଇମବ୍ରାଞ୍ଚ ଆଉ କେଉଁ ଦିଗ ବାହାର କରୁଛି।

Comment