ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗାଁ ପଞ୍ଚାୟତର ଅଜବ ନ୍ୟାୟବଳାତ୍କାର ଅଭିଯୁକ୍ତଙ୍କଠାରୁ ଜୋରିମାନା ଆଦାୟ ଅର୍ଥରେ ଭୋଜିଭାତ କରି ଆସାମୀକୁ କଲେ ଦୋଷମୁକ୍ତ

ବଳାତ୍କାର ଭଳି ସଙ୍ଗୀନ ମାମଲା। ନା ଥାନାକୁ ଗଲା, ନା ଅଦାଲତକୁ। ନା ତଦନ୍ତ ହେଲା, ନା ଶୁଣାଣି। ତ୍ୱରିତ ବିଚାର କରି ତୁରନ୍ତ ରାୟ ଶୁଣାଇଲେ ପଞ୍ଚାୟତ। ତିନି ବଳାତ୍କାର ଅଭିଯୁକ୍ତଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦିଆଗଲା। ଆଦାୟ ତିରିଶ ହଜାର ଟଙ୍କାରେ ଗାଁ ଲୋକେ ଭୋଜି କଲେ। ଯାହା ବଳିଲା, ବାଣ୍ଟି ଦିଆଗଲା। କେହି ବୁଝିଲେନି ତିନି ପୀଡ଼ିତାଙ୍କ ଦୁଃଖ। ଦୋଷମୁକ୍ତ ହୋଇଗଲେ ତିନି ଅଭିଯୁକ୍ତ।

ମାନବିକ ମୂଲ୍ୟବୋଧ ପ୍ରତି ଉପହାସ କରୁଥିବା ଏହି ଘଟଣା ଘଟିଛି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ। ଆଦିବାସୀ ବହୁଳ ଯଶପୁର ଜିଲ୍ଲାର ମନୋରା ବ୍ଲକ୍‌ ଅନ୍ତର୍ଗତ ରେମନା ପଞ୍ଚାୟତରେ। ଜୁଲାଇ ୫ ତାରିଖରେ ଏହି ପଞ୍ଚାୟତ ଅନ୍ତର୍ଗତ ଏକ ଗାଁର ତିନିଜଣ ଝିଅ କୌଣସି କାମରେ ଗାଁ ବାହାରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ନାବାଳିକା। ଫେରିବା ବାଟରେ ଘଟିଲା ଏହି ଅଘଟଣ। ତିନିଜଣ ଯୁବକ ସେମାନଙ୍କୁ କାବୁ କରି ବଳାତ୍କାର କଲେ। ସଞ୍ଜ ଗଡ଼ିବା ଯାଏ ଝିଅମାନେ ଘରକୁ ନ ଫେରିବାରୁ ଘରଲୋକେ ଖୋଜିବାକୁ ଗଲେ ଏବଂ ପରେ ପରେ ପୂରା ଘଟଣା ଲୋକଲୋଚନକୁ ଆସିଲା। ଏହି ଦୁଷ୍କର୍ମର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ମଧ୍ୟ ଥିଲେ। ପୀଡ଼ିତାମାନଙ୍କ ପରିବାର ଲୋକେ ଥାନାରେ ଖବର ଦେବାକୁ ବାହାରିଥିଲେ। କିନ୍ତୁ ପଞ୍ଚାୟତର କେତେକ ସଦସ୍ୟ ସେମାନଙ୍କୁ ରାସ୍ତାରେ ଅଟକାଇ ବାରଣ କଲେ।

ପଞ୍ଚାୟତ ମାମଲାର ବିଚାର କରିବ ଏବଂ ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳିବ ବୋଲି କଥା ଦେଲେ। ଗାଁ ଲୋକଙ୍କ ଉପସ୍ଥିତିରେ ପଞ୍ଚାୟତ ମାମଲାର ବିଚାର କରି ଦୋଷୀମାନଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କଲେ। ପ୍ରଥମେ ଏହି ଟଙ୍କା ପୀଡ଼ିତାମାନଙ୍କ ପରିବାର ଲୋକଙ୍କୁ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ପରେ ଜୋରିମାନା ଅର୍ଥରେ ଭୋଜି କରିବାକୁ ସ୍ଥିର କରାଗଲା। ଗାଁରେ ମାଂସ ଭୋଜି ହେଲା। ବଳକା ଟଙ୍କାକୁ ୪୫ ଜଣ ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଗଲା। ଜଣ ପିଛା ପାଇଲେ ୪୮୫ ଟଙ୍କା। ବଳାତ୍କାର ଆଣିଦେଲା ଭୋଜିଭାତ ଓ ଅର୍ଥଲାଭର ସୁଯୋଗ।

ହୁଏତ ଏହି ଘଟଣା ଏମିତି ଗାଁରେ ହିଁ ରହିଯାଇଥାଆନ୍ତା। କିନ୍ତୁ ଜଣେ ପୀଡ଼ିତାଙ୍କ ବାପା ଏ ସଂପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଥିଲେ। ଗଣମାଧ୍ୟମରୁ ପୋଲିସ ଖବର ପାଇଥିଲା। ଏବେ ପୋଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ କେହି ହେଲେ ଥାନାରେ ଏତଲା ଦେଇନାହାନ୍ତି। ତେଣୁ ଦୋଷୀଙ୍କୁ ଦଣ୍ଡ ମିଳିବା ସହଜ ନୁହେଁ ବୋଲି ମନେ କରାଯାଉଛି।

ଦିନେ ଆଦିମ ବିଚାର ପ୍ରକ୍ରିୟା ଓ ବର୍ବର ନିର୍ଦ୍ଦେଶକୁ ନେଇ ଚର୍ଚ୍ଚାରେ ଥିଲା ଉତ୍ତରଭାରତର ଖାପ୍‌ ପଞ୍ଚାୟତ। ମନେହୁଏ, ଏବେ ଏହାକୁ ବଳିଯାଇଛି ଛତିଶଗଡ଼ର ରେମନା ପଞ୍ଚାୟତ।

Comment