ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି କ୍ରୋଏସିଆ। ଆସନ୍ତା ରବିବାର ଦିନ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଫାଇନାଲ ଖେଳାଯିବ।

ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ଫାଇନାଲରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ଜିତି ଫ୍ରାନ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବୁଧବାର ୨ୟ ସେମିଫାଇନାଲରେ ଅତିରିକ୍ତ ସମୟରେ ଇଂଲଣ୍ଡକୁ ୨-୧ ଗୋଲ୍‍ରେ କ୍ରୋଏସିଆ ପରାସ୍ତ କରିଛି।

୬୭ ମିନିଟ୍‌ ଧରି ପଛୁଆ ରହିବା ପରେ ନିର୍ଦ୍ଧାରିତ ୯୦ ମିନିଟ୍‌ ଖେଳକୁ ୧-୧ରେ ଶେଷ କରିଥିଲା। ଅତିରିକ୍ତ ସମୟରେ ବାଜି ମାରି ନେଲା। ୧୦୯ ମିନିଟ୍‌ରେ ମାରିଓ ମଣ୍ଡ୍‌ଜୋକିକଙ୍କ ଗୋଲ୍‌ ବଳରେ ହିଁ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କଲା।

ବୁଧବାର ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ରବିବାରର ଫ୍ରାନ୍ସ ବିପକ୍ଷ ମେଗାଫାଇନାଲ ପାଇଁ ଟିକେଟ ହାସଲ କରିଛି। ଚଳିତ ବିଶ୍ୱକପ୍‌ରେ ଲଗାତାର ତୃତୀୟ ଥର ପାଇଁ ଅତିରିକ୍ତ ସମୟରେ ବିଜୟୀ ହେବା ସହ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି କ୍ରୋଏସିଆ।

ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ସେମିଫାଇନାଲ୍‌ ଯାଇଥିବା କ୍ରୋଏସିଆ ବୁଧବାର ଅତିରିକ୍ତ ସମୟରେ ବିଜୟ ଛଡ଼ାଇନେବା ପରେ ଇଂଲଣ୍ଡର ଦ୍ୱିତୀୟ ଥର ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଛି।

୧୯୬୬ ବିଜେତା ଇଂଲଣ୍ଡ ତୃତୀୟ-ଚତୁର୍ଥ ସ୍ଥାନ ପାଇଁ ବେଲଜିୟମର ମୁକାବିଲା କରିବ।

ମଙ୍ଗଳବାର ପୂର୍ବ ବିଜେତା ଫ୍ରାନ୍ସ ୧-୦ ଗୋଲ୍‌ରେ ବେଲଜିୟମକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ଉଭୟ ସେମିଫାଇନାଲରେ ପରାଜିତ ହୋଇଥିବା ବେଲଜିୟମ ଏବଂ ଇଂଲଣ୍ଡ ଶନିବାର ତୃତୀୟ-ଚତୁର୍ଥ ସ୍ଥାନ ପାଇଁ ମୁକାବିଲା କରିବେ।

ଆଜି ମ୍ୟାଚ୍‌ର ପଞ୍ଚମ ମିନିଟରେ ଇଂଲଣ୍ଡ କିରନ ଟ୍ରିପିୟରଙ୍କ ଗୋଲ୍‌ ବଳରେ ଆଗୁଆ ହୋଇଥିଲା। କ୍ରୋଏସିଆ ୬୮ ମିନିଟ୍‌ରେ ଇଭାନ ପେରିସିକଙ୍କ ଗୋଲ୍‌ ବଳରେ ଏହାକୁ ଶୁଝି ଦେଇଥିଲା। ଅତିରିକ୍ତ ସମୟର ୧୯ ମିନିଟ୍‌ରେ ମଣ୍ଡ୍‌ଜୋକିକ ବିଜୟ ସୂଚକ ଗୋଲ୍‌ ଦେଇଥିଲେ।

କ୍ରୋଏସିଆ ଦୁଇ ଦଶନ୍ଧି ଏବଂ ଇଂଲଣ୍ଡ ପାଖା ପାଖି ତିନି ଦଶନ୍ଧି ପରେ ସେମିଫାଇନାଲ୍‌ ଯାଇଥିବାରୁ ଏହି ପ୍ରତୀକ୍ଷିତ ଲଢ଼େଇ ଆରମ୍ଭରୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା।

ପ୍ରଥମ ପାଞ୍ଚ ମିନିଟ୍‌ ଭିତରେ ଗୋଲ୍‌ କରି ଇଂଲଣ୍ଡ ଏହି ଆଶାକୁ ପୂରଣ ବି କରି ଦେଇଥିଲା। ବକ୍ସ ଧାରରେ କ୍ରୋଏସିଆର ତାରକା ଖେଳାଳି ଲୁକା ମୋଡ୍ରିକ୍‌ ଇଂଲଣ୍ଡର ଡେଲେ ଆଲିଙ୍କୁ ଫାଉଲ୍‌ ମାରି ତଳେ ପକାଇ ଦେଇଥିଲେ। ଫଳରେ ରେଫରି ବିନା ଦ୍ୱିଧାରେ ଇଂଲଣ୍ଡକୁ ମ୍ୟାଚ୍‌ର ପ୍ରଥମ ଫ୍ରି କିକ୍‌ ପ୍ରଦାନ ଦେଇଥିଲେ। ଯାହାକୁ ସଫଳତାର ସହ ଗୋଲରେ ରୂପାନ୍ତର କରି କିରନ ଟ୍ରିପିୟର ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ।

ଇଂଲଣ୍ଡ ପଞ୍ଚମ ମିନିଟ୍‌ରେ ଆଗୁଆ ହେବା ପରେ କ୍ରୋଏସିଆ ଉପରେ ଆରମ୍ଭରୁ ଚାପ ପଡ଼ି ଯାଇଥିଲା। ଅଧଘଣ୍ଟାଏ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ବଳକା ୧୫ ମିନିଟ୍‌ରେ ନିଜ ଖେଳର ସ୍ତର ବଢ଼ାଇବା ସତ୍ତ୍ୱେ ଟ୍ରିପିୟରଙ୍କ ଗୋଲ୍‌କୁ କିନ୍ତୁ ଶୁଝି ପାରି ନଥିଲା।

ଫଳରେ ଇଂଲଣ୍ଡ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ କ୍ରୋଏସିଆ ଗୋଲ୍‌ ରକ୍ଷକ ଡାନିଗେଲ୍‌ ସୁବାସିକ ଇଂଲଣ୍ଡର ଏକାଧିକ ପ୍ରୟାସକୁ ନିଷ୍ଫଳ କରିଦେଇଥିଲେ।

ଏହି ଦେଶର ଅଗ୍ରଭାଗ ଖେଳାଳିମାନେ ମଧ୍ୟ ନିଜର ସବୁ ବଳ ଖଟାଇ ଦେଇଥିଲେ। ଶେଷରେ ୬୮ ମିନିଟ୍‌ରେ ଇଭାନ ପେରିସିକ୍‌ କ୍ରୋଏସିଆକୁ ବହୁ ପ୍ରତୀକ୍ଷିତ ଗୋଲ୍‌ ଉପହାର ଦେଇଥିଲେ। ଫଳରେ ସ୍ଥିତି ୧-୧ ହୋଇ ଯାଇଥିଲା।

ସିମେ ଭର୍ସାଲଜିକୋଙ୍କ ପାସ୍‌କୁ ଡାହଣ ପାଦରେ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସେ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ବଳକା ୨୨ ମିନିଟ୍‌ରେ ଉଭୟ ଦଳ ପରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ସତ୍ତ୍ୱେ ଗୋଲ୍‌ କରିବାରେ ସଫଳ ହୋଇ ନଥିଲେ।

ସେଥିପାଇଁ ନିର୍ଦ୍ଧାରିତ ୯୦ ମିନିଟ୍‌ ଖେଳରେ ଏହି ସ୍ଥିତି ଅପରିବର୍ତ୍ତିତ ରହିବା ପରେ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟର ପ୍ରଥମାର୍ଧରେ କୌଣସି ଗୋଲ୍‌ ହୋଇ ନଥିଲା। ହେଲେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ କ୍ରୋଏସିଆ କମାଲ କରିଥିଲା।

ଆସନ୍ତା ରବିବାର ଦିନ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଫାଇନାଲ ଖେଳାଯିବ।

Comment