ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇବାର ନିଶା ୬୬ ବର୍ଷ ଧରି ୩୦ ଫୁଟ୍‌ ଲମ୍ବର ନଖ ରଖି ମହାରାଷ୍ଟ୍ରର ଶ୍ରୀଧର ଚିଲ୍ଲାଲ ରଚିଛନ୍ତି ନୂଆ ଇତିହାସ

ବିଶ୍ୱର ସବୁଠାରୁ ଲମ୍ବା ନଖର ମାଲିକ ଶ୍ରୀଧର ଚିଲ୍ଲାଲ। ୮୨ ବର୍ଷର ଶ୍ରୀଧରଙ୍କ ଘର ମହାରାଷ୍ଟ୍ରର ପୁଣେରେ। ୧୯୫୨ ମସିହାରୁ ବାମ ହାତର ସମସ୍ତ ପାଞ୍ଚଟି ଆଙ୍ଗୁଠିର ନଖ ବଢ଼ାଇଥିଲେ ଶ୍ରୀଧର। ୨୦୧୬ ମସିହାରେ ସବୁଠାରୁ ଲମ୍ବା ନଖ ରଖିଥିବା ବ୍ୟକ୍ତି ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ୬୬ ବର୍ଷ ପରେ ତାଙ୍କର ଏହି ଲମ୍ବା ନଖଗୁଡ଼ିକୁ ସେ ଆମେରିକାର ନ୍ୟୁୟର୍କ ସହରରେ କାଟିଛନ୍ତି।

ଟେଲିଭିଜନ୍‌ କାର୍ଯ୍ୟକ୍ରମ ‘ରିପ୍‌ଲେ’ସ ବିଲିଭ୍‌ ଇଟ୍‌ ଅର ନଟ୍‌’ ପାଇଁ ନଖ କାଟିଛନ୍ତି ଶ୍ରୀଧର। ଏଥିପାଇଁ ଟିଭି କାର୍ଯ୍ୟକ୍ରମ ଉଦ୍ୟୋକ୍ତାମାନଙ୍କ ପକ୍ଷରୁ ତାଙ୍କୁ ନ୍ୟୁୟର୍କ ନିଆଯାଇଥିଲା। ଟାଇମ୍‌ସ ସ୍କୋୟାରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କ୍ୟାମେରା ସାମନାରେ ସେ ନଖ କାଟିଥିଲେ।

ଶ୍ରୀଧରଙ୍କ ସମସ୍ତ ପାଞ୍ଚଟି ନଖର ମିଳିତ ଦୈର୍ଘ୍ୟ ଥିଲା ୯୦୯.୬ ସେଣ୍ଟିମିଟର। ୯ ମିଟରରୁ ଅଧିକ, ପାଖାପାଖି ୩୦ ଫୁଟ୍‌। କେବଳ ତାଙ୍କ ବୁଢ଼ା ଆଙ୍ଗୁଠି ନଖର ଲମ୍ବା ଥିଲା ୧୯୭.୮ ସେଣ୍ଟିମିଟର। ପ୍ରାୟ ୨ ମିଟର ବା ସାଢ଼େ ଛଅ ଫୁଟ୍‌। ତାଙ୍କର ଏହି ନଖଗୁଡ଼ିକୁ ‘ରିପ୍‌ଲେ’ସ ବିଲିଭ୍‌ ଇଟ୍‌ ଅର୍‌ ନଟ୍‌’ ସଂଗ୍ରହାଳୟରେ ରଖାଯାଇଛି।

ଏତେ ଲମ୍ବା ସମୟ ଧରି ନଖ ବଢ଼ାଇବା ସଂପର୍କରେ ଶ୍ରୀଧର କହନ୍ତି ଯେ ପିଲାଦିନେ ଜଣେ ଶିକ୍ଷକ ତାଙ୍କୁ ଭର୍ତ୍ସନା କରି କହିଥିଲେ ତାଙ୍କ ଦ୍ୱାରା କିଛି ହବନି। ସେବେଠାରୁ ସେ ସ୍ଥିର କଲେ ଯେ କିଛି ତ ନିଶ୍ଚୟ କରିବେ। ଗୋଟିଏ ହାତର ନଖକୁ ନ କାଟି ବଢ଼ାଇଲେ। ନଖ ବଢ଼ିଲା ପରେ ବିଭିନ୍ନ ସମୟରେ ସେ ଅସୁବିଧାରେ ପଡ଼ିଛନ୍ତି। କିନ୍ତୁ ବିଚଳିତ ହୋଇନାହାନ୍ତି। ଧୈର୍ଯ୍ୟ ହରାଇନାହାନ୍ତି। ଏଥିରେ ତାଙ୍କ ପରିବାର ଲୋକେ ତାଙ୍କୁ ସମର୍ଥନ କରିଛନ୍ତି। ଲମ୍ବା ନଖ ଯୋଗୁଁ ଗୋଟିଏ ହାତରେ ସେସବୁ କାମ କରୁଥିଲେ, ଯାହା ତାଙ୍କ ପାଇଁ ସହଜ ନ ଥିଲା। ବୁଢ଼ା ଆଙ୍ଗୁଠିର ନଖ ବଢ଼ିଥିବା ଯୋଗୁଁ ହାତମୁଠା କରିବା ସମ୍ଭବ ନ ଥିଲା। ସ୍ୱତନ୍ତ୍ର ଭାବେ ତିଆରି ଗୋଟିଏ ଥଳିରେ ସେ ନଖକୁ ରଖୁଥିଲେ। ପରିବାର ଲୋକଙ୍କ ସହାୟତାରେ ହିଁ ସବୁ କାମ କରୁଥିଲେ। ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ପରେ ସେଲିବ୍ରିଟି ପାଲଟି ଯାଇଥିଲେ ଶ୍ରୀଧର। ସେ ଓ ତାଙ୍କ ପରିବାର ବେଶ ଖୁସି ଥିଲେ”।

ଏବେ ସେ ତାଙ୍କ ନଖ କାଟିଛନ୍ତି। ନ୍ୟୁୟର୍କରେ ପ୍ରଥମେ ତାଙ୍କ ନଖଗୁଡ଼ିକୁ ସାଧାରଣ ନଖ ଭଳି କାଟିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇ ନ ଥିଲା। ଡାକ୍ତରଙ୍କ ଉପସ୍ଥିତିରେ ଏକ ବିଦ୍ୟୁତଚାଳିତ କଟର ଦ୍ୱାରା ନଖଗୁଡ଼ିକୁ କଟାଯାଇଥିଲା। ନଖ କାଟିବା ସମୟରେ ହାତ ଏବଂ କହୁଣୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି ଶ୍ରୀଧର କହିଥିଲେ। ଡାକ୍ତରଙ୍କ ମତରେ ଦୀର୍ଘ ବର୍ଷ ଧରି ହାତମୁଠା ହୋଇନଥିବାରୁ ଏବଂ ଗୋଟିଏ ସ୍ଥିତିରେ ଥିବାରୁ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସମୟ ଲାଗିବ।

ଲମ୍ବା ନଖ ରଖିଥିବା ସତ୍ତ୍ୱେ ସ୍ୱାଭାବିକ ଜୀବନଯାପନ କରନ୍ତି ଶ୍ରୀଧର। ସ୍ତ୍ରୀ, ଦୁଇପୁଅ ଏବଂ ତିନିଟି ନାତିନାତୁଣୀଙ୍କୁ ନେଇ ତାଙ୍କ ପରିବାର। ପେସାରେ ପ୍ରେସ୍‌ ଫଟୋଗ୍ରାଫର ଥିଲେ ଶ୍ରୀଧର। କିନ୍ତୁ ନଖ ଯୋଗୁଁ କେବେ କୌଣସି ବାଧା ଉପୁଜିନାହିଁ ବୋଲି ସେ କହିଛନ୍ତି।

ଶ୍ରୀଧରଙ୍କର ଇଚ୍ଛା ଥିଲା ନଖଗୁଡ଼ିକ କୌଣସି ଏକ ସଂଗ୍ରହାଳୟରେ ସ୍ଥାନ ପାଉ। ତାହା ହିଁ ହୋଇଛି। ଏଥିରେ ସେ ଖୁବ ଖୁସି। ନଖ କାଟିବା ପରେ ତାଙ୍କ ଜୀବନରେ ନୂଆ ଏକ ଅଧ୍ୟାୟ ଆରମ୍ଭ ହେଲା ବୋଲି କହିଛନ୍ତି ଶ୍ରୀଧର।

Comment