ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ଧର୍ମ ନିରପେକ୍ଷତାକୁ ହିଁ ମୋର ଧର୍ମ ରୂପେ ସ୍ୱୀକାର କରାଯାଉଯଦି ତାହା ସମ୍ଭବ ନୁହେଁ, ତେବେ ମତେ ନାସ୍ତିକତା କିମ୍ବା ରାଷ୍ଟ୍ରବାଦକୁ ଧର୍ମ ରୂପେ ଗ୍ରହଣ କରିବାକୁ ଅନୁମତି ଦିଆଯାଉ ଏହି ମର୍ମରେ ଗୁଜରାଟ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ରାଜବୀର ଉପାଧ୍ୟାୟ

ଅହମ୍ମଦାବାଦର ଚାନ୍ଦଖେଡ଼ା ଅଞ୍ଚଳରେ ରହନ୍ତି ୩୪ ବର୍ଷୀୟ ରାଜବୀର। ଅଟୋ ରିକ୍‌ସା ଚଳାଇ ଗୁଜରାଣ ମେଣ୍ଟାନ୍ତି। ଜାତିଗତ ଭେଦଭାବରେ ଅତିଷ୍ଠ ହୋଇ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜବୀର। ଧର୍ମ ନିରପେକ୍ଷତା କିମ୍ବା ନାସ୍ତିକତା କିମ୍ବା ରାଷ୍ଟ୍ରବାଦକୁ ତାଙ୍କ ଧର୍ମ ରୂପେ ସ୍ୱୀକାର କରିବାକୁ ନିବେଦନ କରିଛନ୍ତି।

ରାଜବୀରଙ୍କ କହିବା କଥା ଯେ ଗୁଜରାଟରେ ଧାର୍ମିକ ସ୍ୱାଧୀନତାକୁ ନେଇ ପ୍ରଚଳିତ ଆଇନ (ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜନ୍‌ ଆକ୍ଟ)ରେ ‘ଧର୍ମ ନିରପେକ୍ଷତା’ କିମ୍ବା ‘ନାସ୍ତିକତା’କୁ ଧର୍ମ ରୂପେ ଗ୍ରହଣ କରିବାର ବ୍ୟବସ୍ଥା ନାହିଁ। ଏହି କାରଣରୁ ଗତ ମେ ମାସରେ ସେ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଆବେଦନ ଖାରଜ ହୋଇଯାଇଥିଲା। ଗୁଜରାଟର ଆଇନରେ ଏଭଳି ବ୍ୟବସ୍ଥା ନାହିଁ ବୋଲି ଦର୍ଶାଇଥିଲେ ଜିଲ୍ଲାପାଳ। କିନ୍ତୁ ଭାରତୀୟ ସମ୍ବିଧାନର ୨୫ ଏବଂ ୨୬ ଧାରା ଅନୁସାରେ ଦେଶର ଯେ କୌଣସି ନାଗରିକ ଯେ କୌଣସି ଧର୍ମ ଗ୍ରହଣ କରିପାରିବେ ଏବଂ ଏହାର ପ୍ରଚାର କରିପାରିବେ। ସମ୍ବିଧାନ ପ୍ରଦତ୍ତ ନାଗରିକ ଅଧିକାରକୁ ବ୍ୟାବହାରିକ ରୂପେ ସାବ୍ୟସ୍ତ କରିବା ପାଇଁ ଗୁଜରାଟର ଏହି ଆଇନରେ ସଂଶୋଧନ ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି।

ଗୁଜରାଟରେ ପ୍ରଚଳିତ ଜାତି ବର୍ଗ ଅନୁସାରେରାଜବୀର ଗୁରୁ-ବ୍ରାହ୍ମଣ ଜାତିର, ଯାହାକି ଏକ ଅନୁସୂଚିତ ଜାତି। ଜାତିପ୍ରଥା ଯୋଗୁଁ ହିଁ ସେ ବିଭିନ୍ନ କ୍ଷେତ୍ରରେ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି ଏବଂ ଧର୍ମନିରପେକ୍ଷତାକୁ ଧର୍ମ ରୂପେ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ରାଜବୀର କହିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ରାଜବୀର। ଧର୍ମ ନିରପେକ୍ଷତା କିମ୍ବା ନାସ୍ତିକତା ଯଦି ଧର୍ମ ରୂପେ ଗୃହୀତ ନ ହୁଏ, ତେବେ ଅତି କମ୍‌ରେ ରାଷ୍ଟ୍ରବାଦକୁ ତାଙ୍କ ଧର୍ମ ରୂପେ ସ୍ୱୀକାର କରିବାକୁ ସେ ନିବେଦନ କରିଛନ୍ତି। ହାଇକୋର୍ଟରେ ନିଜ ପକ୍ଷ ରଖିବାକୁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ଦରକାର ପଡ଼ିଲେ ନିଜ ସପକ୍ଷରେ ନିଜେ ଯୁକ୍ତି ଉପସ୍ଥାପନ କରିବେ ବୋଲି କହିଛନ୍ତି।

ଏହା ପୂର୍ବରୁ ରାଜବୀର ନିଜ ନାମ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ‘ରାଜବୀର ଉପାଧ୍ୟାୟ’ ବଦଳରେ ତାଙ୍କୁ ‘RV155677820’ ଭାବେ ନାମିତ କରିବାକୁ ଚାହିଁଥିଲେ। ନାମ ଓ ଉପନାମରେ ହିଁ ତାଙ୍କ ଜାତି ଓ ଧର୍ମ ସଂପର୍କିତ ସଙ୍କେତ ଥିବାରୁ ସେ ଏହାକୁ ବର୍ଜନ କରି ଏଭଳି ଏକ ସାଙ୍କେତିକ ନାମ ରଖିବାକୁ ଅନୁମତି ଲୋଡ଼ିଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ରାଜକୋଟ ଗେଜେଟ୍‌ ଅଫିସ୍‌ରେ ଆବେଦନ କରିବାକୁ କୁହାଯାଇଥିଲା ଏବଂ ସେଠାରେ, କୌଣସି କାରଣ ନ ଦର୍ଶାଇ, ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା। ୨୦୧୫ ମସିହାରୁ ନିଜ ନାମ ଓ ଧର୍ମ ପରିବର୍ତ୍ତନ କରିବାକୁ ରାଜବୀର ଚେଷ୍ଟା ଚଳାଇ ଆସିଛନ୍ତି।

ଏବେ ହାଇକୋର୍ଟଙ୍କ ବିଚାର ଅପେକ୍ଷାରେ ରାଜବୀର। ଆଶା ରଖିଛନ୍ତି, ‘ଧର୍ମ ନିରପେକ୍ଷତା’ କିମ୍ବା ‘ ନାସ୍ତିକତା’କୁ ଧର୍ମର ମାନ୍ୟତା ମିଳିବ। କିଛି ନ ହେଲେ ‘ରାଷ୍ଟ୍ରବାଦ’କୁ ତାଙ୍କ ଧର୍ମ ରୂପେ ବର୍ଣ୍ଣନା କରିବାର‘ଅଧିକାର’ତ ପାଇବେ।

Comment