ଓଡ଼ିଶାଲାଇଭ୍ ବ୍ୟୁରୋ

- ବିଧାନସଭା ଗୃହ କମିଟି ବୈଠକ
- ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା
- ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ଆଲୋଚନା
- ବୈଠକରେ ଅନୁପସ୍ଥିତ ଥିଲେ ଦୁଇ ବିଜେପି ବିଧାୟକ
ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଚାଷୀ ସଙ୍ଗଠନ। ଏଣୁ ରାଜ୍ୟର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାନସଭା ଗୃହ କମିଟି ଖୁବଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଦାବି ଉପସ୍ଥାପନ କରିବ।
ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବିଧାନସଭା ଗୃହ କମିଟିର ବୈଠକରେ। ଏହି ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କିନ୍ତୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ଚିଲିକା ବିଧାୟକ ବିଭୂତ ହରିଚନ୍ଦନ ବୈଠକରେ ଉପସ୍ଥିତ ନଥିଲେ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ବିଜେଡି ଦାବି କରି ଆସୁଛି। ଏନେଇ ବିଧାନସଭା ଗୃହ କମିଟିରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମଗାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ଦେଇ ନାହାନ୍ତି।
ଗତ ଜୁଲାଇ ୪ ତାରିଖରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ କୁଇଣ୍ଟାଲ ପିଛା ୧୭୫୦ ଟଙ୍କାରେ ପହଞ୍ଚିଛି। ହେଲେ ଏଥିରେ ବିଜେଡି ଅସନ୍ତୋଷ ପ୍ରକାଶ କରିଛି। ଏଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଚାଷୀଙ୍କ ସ୍ୱାର୍ଥ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ବୈଠକରେ ଆଲୋଚନା ହୋଇଛି।
ଏହି ବୈଠକରେ ବିଜେଡି ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ।
“ଧାନର ସର୍ବନିମ୍ନ ସହାୟକମୂଲ୍ୟ ବୃଦ୍ଧି କରିବା ପାଇଁ ଆମେ ଦାବି କରି ଆସୁଛୁ। ହେଲେ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ଦେଉ ନାହାନ୍ତି। ଆଜିର ବୈଠକରେ ଦୁଇ ବିଜେପି ବିଧାୟକ ଅନପସ୍ଥିତ ଥିବାରୁ ଚାଷୀଙ୍କ ପାଇଁ ବିଜେପିର ଆନ୍ତରିକତା ନଥିବା ସ୍ପଷ୍ଟ ହୋଇଛି”, କହିଛନ୍ତି ବିଧାୟକ ସଞ୍ଜୟ ଦାସବର୍ମା।


















