ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ପୁରୀରେ ଗହଳ ଚହଳ ଆରମ୍ଭ ହୋଇଗଲାଣି। ରଥଯାତ୍ରା ଦିନ ଲକ୍ଷାଧିକ ଭକ୍ତ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛି। ଗାଡ଼ି ପାର୍କିଂ କରିବା ପାଇଁ ପାର୍କିଂସ୍ଥଳ ଚିହ୍ନଟ କରିଛି ପ୍ରଶାସନ। ଜାଣନ୍ତୁ କେଉଁପଟୁ ଆସିଲେ କେଉଁଠି ରଖିବେ ଗାଡ଼ି?

ଟୁରିଷ୍ଟ ବସ୍, ଯାତ୍ରୀବାହୀ ବସ୍, ଦୁଇଚକିଆ ଗାଡ଼ି, ଅଟୋ ଏବଂ କାର୍‌ ପାଇଁ ସ୍ୱତନ୍ତ୍ର ପାର୍କିଂସ୍ଥଳ କରାଯାଇଛି।

କେଉଁଠି ରହିବ ଟୁରିଷ୍ଟ ବସ୍?

୩୧୬ ନମ୍ବର ଜାତୀୟ ରାଜପଥରେ ପୁରୀ ଆସୁଥିବା ଆନ୍ତଃରାଜ୍ୟ ଟୁରିଷ୍ଟ ବସ୍ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ବସ୍‌ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବସ୍‌ଗୁଡ଼ିକ ଯେଉଁ ରୁଟ୍‌ ଦେଇ ଆସିଥିବେ ସେହି ବାଟରେ ଯିବେ। ଯଦି ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ବସ୍‌ ଭର୍ତ୍ତି ହୋଇଯାଏ ତାହାଲେ ବସ୍‌ଗୁଡ଼ିକୁ ଉଦ୍ୟାନ କୃଷି ବିଭାଗ ଫାର୍ମ ନିକଟସ୍ଥ ପାର୍କିଂସ୍ଥଳକୁ ପଠାଯିବ।

ସେହିପରି କୋଣାର୍କ ପଟୁ ଆସୁଥିବା ଟୁରିଷ୍ଟ ବସ୍ ହର୍ଟି କଲ୍‌ଚର୍‌ ଫାର୍ମ ନିକଟସ୍ଥ ପାର୍କିଂସ୍ଥଳରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

ଯାତ୍ରୀବାହୀ ବସ୍‌ ପାର୍କିଂ ପାଇଁ ରୁଟ୍

ଭୁବନେଶ୍ୱରରୁ-ପୁରୀ ଯାତାୟତ କରୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଗାଡ଼ି ରଖିବାର ବ୍ୟବସ୍ଥା କରାଯାଇଛି। ଫେରିବା ବେଳେ ଏହି ବସ୍‌ଗୁଡ଼ିକ ସେଣ୍ଟ୍ରାଲ ସ୍କୁଲ ଛକ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର, ବୀରହରେକୃଷ୍ଣପୁର ବଜାର ଦେଇ ୩୧୬ ନମ୍ବର ଜାତୀୟ ରାଜପଥକୁ ଆସି ପାରିବେ।

ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ମଙ୍ଗଳାଘାଟ ନିକଟସ୍ଥ ଫ୍ଲୋରସ ଇଣ୍ଡିଆ ପାର୍କିଂସ୍ଥଳରେ ଗାଡ଼ି ରଖିପାରିବେ। ସେହି ପାର୍କିଂସ୍ଥଳରୁ ସେମାନେ ପୁଣି ବ୍ରହ୍ମଗିରି ଫେରିବେ।

କୋଣାର୍କ ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ଗାଡ଼ି ରଖିବାର ବ୍ରବସ୍ଥା କରାଯାଇଛି। ଗାଡ଼ିଗୁଡ଼ିକ ଗ୍ରୀଡ୍ ଷ୍ଟେସନ କ୍ରସିଂ ଦେଇ ତାଳବଣିଆକୁ ଆସିବେ ଏବଂ ସେହି ରାସ୍ତା ଦେଇ ଫେରିବେ।

ଅଟୋ ଓ ହାଲୁକା ଯାନ ପାର୍କିଂ ପାଇଁ ବ୍ୟବସ୍ଥା

୩୧୬ ନମ୍ବର ଜାତୀୟ ରାଜପଥରୁ ଆସୁଥିବା ଅଟୋଗୁଡ଼ିକ ଆଇଟିଆଇ ଛକରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା ରହିଛି। ଏହି ଅଟୋଗୁଡ଼ିକ ମାଳତୀପାଟପୁରରୁ ଗ୍ରୀଡ଼୍ ଷ୍ଟେସନ, ନୀଳାଚଳ ଲିଙ୍କ୍, ଭୁଦାନ ଛକ ଦେଇ ଆଇଟିଆଇ ଛକକୁ ଆସିପାରିବେ। ଯଦି ଆଇଟିଆଇ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଯାଏ ତାହାଲେ ଇଣ୍ଡୋରଷ୍ଟାଡିୟମସ୍ଥିତ ପାର୍କିଂସ୍ଥଳରେ ଗାଡ଼ି ରଖିପାରିବେ।

ଅଟୋ ଏବଂ ହାଲୁକା ଯାନ ଫେରିବା ପାଇଁ ଅଲଗା ରୁଟ୍ କରାଯାଇଛି। ପାର୍କିଂସ୍ଥଳରୁ ଭାୟା ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ୍ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ଗାଁ ଦେଇ ଫେରିବେ।

କୋଣାର୍କପଟୁ ଆସୁଥିବା ଅଟୋ ଏବଂ ହାଲୁକା ଯାନ ମେରାଇନଡ୍ରାଇଭ୍ ରାସ୍ତା ଦେଇ ଆଇଟିଆଇ ଛକ ପାର୍କିଂସ୍ଥଳରେ ଗାଡ଼ି ରଖିପାରିବେ। ଗ୍ରୀଡ୍ ଷ୍ଟେସନ ଛକ, ବାଲିଗୁଳାଇ, ନାଗାପାଟଣା, ପୁରୀ-କୋଣାର୍କ ମେରାଇନଡ୍ରାଇଭ୍ ରାସ୍ତାରେ ଫେରିବେ।

ବ୍ରହ୍ମଗିରି ପଟୁ ଆସୁଥିବା ଅଟୋଗୁଡ଼ିକ ଫ୍ଲୋରିସ ଇଣ୍ଡିଆ ପାର୍କିଂସ୍ଥଳରେ ଗାଡ଼ି ରଖିବେ। କିନ୍ତୁ ସେମାନେ ବାଲିଘାଟ ଛକରୁ ଡାଇଭଟ୍‌ ହୋଇ ପାର୍କିଂସ୍ଥଳକୁ ଆସିବେ।

କେଉଁଠି ରଖିବେ ଦୁଇ ଚକିଆ ଗାଡ଼ି?

୩୧୬ ନମ୍ବର ଜାତୀୟ ରାଜପଥ ଆଡ଼ୁ ଆସୁଥିବା ବାଇକ୍ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିପାରିବେ। କିନ୍ତୁ ସେମାନେ ବାଟଗାଁ କ୍ରସିଂରୁ ଡାଇଭଟ୍ ହୋଇ ମଙ୍ଗଳାଘାଟ କ୍ରସିଂ ଦେଇ ପାର୍କିଂସ୍ଥଳକୁ ଯାଇପାରିବେ। ଯଦି ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଯାଏ ତାହାଲେ ଗୋଖାସାହି ନିକଟସ୍ଥ ମଶାଣିଚଣ୍ଡି ପାର୍କିଂସ୍ଥଳରେ ଗାଡ଼ି ରଖିବେ। ଯଦି ଏହି ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଯାଏ ତାହାଲେ ପୁରୀ ବାଇପାସ୍ର ଗୋଟି ପାର୍ଶ୍ୱରେ ପାର୍କିଂ ବ୍ୟବସ୍ଥା କରାଯିବ।

ଯଦି ଏହି ତିନୋଟି ପାର୍କିଂସ୍ଥଳ ଗାଡ଼ିରେ ପରିପୂର୍ଣ୍ଣ ହୋଇଯାଏ ତାହାଲେ ପେଣ୍ଠକଟା ଛକଠାରେ ଥିବା ଜଗନ୍ନାଥ ଓପନ୍ ଷ୍ଟାଡିୟମ୍ ପାର୍କିଂସ୍ଥଳରେ ଗାଡ଼ି ରଖାଯିବ।

ବ୍ରହ୍ମଗିରି ପଟୁ ଆସୁଥିବା ବାଇକ୍ ଜଗନ୍ନାଥ ବଲ୍ଳଭ ପାର୍କିଂ ଏବଂ ମଶାଣିଚଣ୍ଡି ପାର୍କିଂରେ ଗାଡ଼ି ରଖିପାରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ବାଇକ୍ ନାଗାପାଟଣା, ବାଲିଗୁଆଳି, ଗ୍ରୀଡ୍ ଷ୍ଟେସନ, ଭୁଦାନ, ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଏବଂ ଆଇଟିଆଇ କ୍ରସିଂ ଦେଇ ପେଣ୍ଠକଟା ବଜାରସ୍ଥିତ ଜଗନ୍ନାଥ ଓପନ ଷ୍ଟାଡିୟମରେ ଗାଡ଼ି ରଖିପାରିବେ।

Comment