ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୬ ନମ୍ବର ଜାତୀୟ ରାଜଥରେ ଲହଡ଼ି ଭାଙ୍ଗିଲା ବର୍ଷାପାଣି
  • ସାହି, କଲୋନୀ ରାସ୍ତା ବି ଜଳମଗ୍ନ
  • ଆଣ୍ଠୁଏ ପାଣିରେ ଚାଲିଲେ ଲୋକେ
  • ଘରେ ପଶିଗଲା ବର୍ଷାପାଣି
  • ସ୍ମାର୍ଟସିଟି ଭୁବନେଶ୍ୱରରେ ଫସିଗଲା ବସ୍
  • ବିଏମ୍‌ସି ଜାରି କଲା ୦୬୭୪-୨୪୩୦୦୩୮ ହେଲ୍ପ ଲାଇନ୍ ନମ୍ବର

ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଟୁଇନ୍ ସିଟି କଟକ, ଭୁବନେଶ୍ୱର। ଜାତୀୟ ରାଜପଥ ସମେତ ସାହି ରାସ୍ତାରେ ଜମି ରହିଛି ପାଣି। ଫଳରେ ଯାତାୟାତ ଠପ୍‌ ହୋଇଯାଇଛି। ପାଣିଘେରରେ ରହିଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି। ୦୬୭୪-୨୪୩୦୦୩୮ ନମ୍ବରରେ ଫୋନ୍ କରି ବିଏମ୍‌ସି ଅଧିକାରୀଙ୍କୁ ଜଣାଇବା ପାଇଁ କୁହାଯାଇଛି।

ରବିବାର ରାତିରୁ ଆରମ୍ଭ ହୋଇଥିଲା ଲଗାଣ ବର୍ଷା। ସୋମବାର ସକାଳୁ ବର୍ଷାର ପରିମାଣ ବଢ଼ିଥିଲା। ଟୁଇନ୍ ସିଟି କଟକ, ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସ୍ମାର୍ଟସିଟି ଭୁବନେଶ୍ବରର ଅବସ୍ଥା ଘାଇଲା ହୋଇଯାଇଥିଲା। ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆର୍‌ପି, ଇସ୍କନ ମନ୍ଦିର, ୟୁନିଟ୍-୫ ପ୍ରଭୃତି ଅଞ୍ଚଳ ଜଳମଗ୍ନ ହୋଇଥିଲା। ୧୬ ନମ୍ବର ଜାତୀୟ ରାଜପଥରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ରାସ୍ତାରେ ଦୁଇ ଫୁଟ ଉଚ୍ଚର ପାଣି ଚାଲିଥିଲା।

ଅଟୋ, କାର୍ ଆଦି ବୁଡ଼ି ଯାଇଥିବା ବେଳେ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଥିଲା। ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ।

ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଯାତ୍ରୀବାହୀ ବସ୍ ଫଶି ଯାଇଥିଲା। ବସ୍‌ର ଛକା ଏକ ଖାଲରେ ପଡ଼ିଯିବାରୁ ଉଠିପାରି ନଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

ସେହିପରି କଟକରେ ବି ଲଗାଣ ବର୍ଷା ତାଣ୍ଡବ ରଚିଛି। ରକ୍ସିଲେନ୍, ରାଜାବଗିଚା, ମେରିଆ ବଜାର, ପଟ୍ଟାପୋଲ ଅଞ୍ଚଳରେ ବର୍ଷା ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଥିଲା। ଘରେ ଘରେ ପାଣି ପଶି ଯାଇଥିଲା। ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ବି ଜଳମଗ୍ନ ହୋଇଯାଇଥିଲା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ବର୍ଷା ଜଳ ନିଷ୍କାସନ ପାଇଁ ୧୧୫ଟି ପମ୍ପ୍‌ ସିଏମ୍‌ସି ପକ୍ଷରୁ ଲଗା ଯାଇଥିଲା।

Comment