ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ରାନ୍‍ସ ଚଳିତ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।

  • ଇଂଲଣ୍ଡର ହାରି କେନ୍‌ ସ୍ୱର୍ଣ୍ଣ ଜୋତା
  • କ୍ରୋଏସିଆର ଲୁକା ମୋର୍ଡିକ ସ୍ୱର୍ଣ୍ଣ ବଲ୍‌
  • ଫ୍ରାନ୍ସର ୧୯ ବର୍ଷୀୟ ତାରକା କିଲିଆନ୍‌ ଏମ୍‌ବାପେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର
  • ବେଲଜିୟମ ଗୋଲରକ୍ଷକ ଥିବା ଉତ୍‌ କୋର୍ଟୋଇସ୍‌ ସ୍ୱର୍ଣ୍ଣ ଗ୍ଲୋଭ୍ସ ହାସଲ

ରୁଷିଆ ୨୧ତମ ଫିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସର ବାଜିମାତ୍‌। ଲୁଝ୍‍ନିକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ଦ୍ୱିତୀୟବାର ବିଶ୍ୱ ବିଜୟୀ ହୋଇଛି ଫ୍ରାନ୍ସ।

ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ୩୨ ଦଳିଆ ମସ୍କୋ ମହାସମରର ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଛି ଫ୍ରାନ୍ସ। ଏହାସହିତ ଦୀର୍ଘ ୩୧ ଦିନ ( ୬୪ ମ୍ୟାଚ୍‌) ଧରି ଚାଲିଥିବା ଫୁଟ୍‌ବଲ୍‌ ବିଶ୍ୱଯୁଦ୍ଧ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଛି।

ପ୍ରାୟ ଅଶି ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଭୟ ଦଳକୁ ପ୍ରାରମ୍ଭରୁ ଉତ୍ସାହିତ ମୁଦ୍ରାରେ ଦେଖିବାକୁ ମିଳିଥିଲା।

ଉଭୟାର୍ଧରେ ତିନିଟି ଲେଖାଏଁ ଗୋଲ୍‌ ଦେଖିବାକୁ ମିଳିଥିଲା। ଫ୍ରାନ୍ସ ମାରିଓ ମଣ୍ଡଜୁକିକ (୧୮ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ଆଗୁଆ ହେବା ପରେ ଇଭାନ ପେରିସିକ (୨୮ ମିନିଟ୍‌) ୧୦ ମିନିଟ୍‌ ପରେ ଏହାକୁ ଶୁଝି ଦେଇଥିଲେ। ହେଲେ ଆଣ୍ଟୋନି ଗ୍ରିଜମ୍ୟାନ (୩୮ ମିନିଟ୍‌)ଙ୍କ ପେନାଲ୍ଟି ଗୋଲ୍‌ ପାଇଁ ଫ୍ରାନ୍ସ ପ୍ରଥମାର୍ଧରେ ୨-୧ରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଧରେ ପଲ୍‌ ପଗବା (୫୯) ଓ କିଲିଆନ୍‌ ଏମବାପେ (୬୫)ଙ୍କ ଗୋଲ୍‌ ବଳରେ ଫ୍ରାନ୍ସ ସ୍ଥିତି ୪-୨ କରି ନେଇଥିଲା। କ୍ରୋଏସିଆ ମଣ୍ଡଜୁକିକ (୬୯)ଙ୍କ ଗୋଲ୍‌ ବଳରେ ସେଥିମଧ୍ୟରୁ ଗୋଟିକୁ ଶୁଝି ଥିଲା।

ପ୍ରଥମାର୍ଧରେ କ୍ରୋଏସିଆ ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଭାଗ୍ୟ ଫ୍ରାନ୍ସ ସପକ୍ଷରେ ଥିଲା। ପ୍ରଥମ ଥର ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଥିବା କ୍ରୋଏସିଆ ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିଲା ସତ, ତେବେ ଗୋଲ ଦେବାର ଏକାଧିକ ସୁଯୋଗକୁ କାର୍ଯ୍ୟକାରୀ କରିବାରେ ବିଫଳତା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଦୁଇଟି ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇ ଉପବିଜେତାରେ ଅଭିଯାନ ଶେଷ କରିଥିଲା।
କ୍ରୋଏସିଆ ଫାଇନାଲରେ ହାରିଥିଲେ ମଧ୍ୟ ନିଜ ଲଢ଼ୁଆ ଖେଳରେ କୋଟି କୋଟି ଫୁଟ୍‌ବଲ୍‌ ପ୍ରେମୀଙ୍କ ମନ ଜିଣି ପାରିଛି। ହେଲେ ଫ୍ରାନ୍ସଠାରୁ ୧୯୯୮ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ହାତଛଡ଼ା କରିଛି। ଠିକ୍‌ ୨୦ ବର୍ଷ ତଳେ ଅର୍ଥାତ୍‌ ୧୯୯୮ ବିଶ୍ୱକପରେ ଫ୍ରାନ୍ସ ନିଜ ଘରୋଇ ପରିବେଶରେ କ୍ରୋଏସିଆକୁ ହରାଇ ଫାଇନାଲ ଯିବା ସହ ବ୍ରାଜିଲକୁ ପରାସ୍ତ କରି ପ୍ରଥମ ଥର ବିଶ୍ୱକପ୍‌ ଜିତିଥିଲା।
ଚଳିତଥର କ୍ରୋଏସିଆକୁ ହରାଇ ଦୁଇ ଦଶନ୍ଧି ପରେ ଦ୍ୱିତୀୟବାର ବିଶ୍ୱ ମୁକୁଟ ହାସଲ କରିବାର ଗୌରବ ବହନ କଲା ଫ୍ରାନ୍‍ସ। କ୍ରୋଏସିଆ ପଞ୍ଚମ ପ୍ରୟାସରେ ଫାଇନାଲ୍‌ ଯାଇଥିଲେ ମଧ୍ୟ ସେଠାରେ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଲା।

ପୁରସ୍କାର ବାବଦରେ ଚମ୍ପିଆନ ଫ୍ରାନ୍‍ସକୁ ୩୮ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୬୦ କୋଟି ଟଙ୍କା) ପ୍ରଦାନ କରାଯାଇଥିବାବେଳେ କ୍ରୋଏସିଆକୁ ୨୮ ନିୟୁତ ଡଲାର (୧୯୧ କୋଟି) ମିଳିଛି।

ପୁରସ୍କାର ବାବଦରେ ଚମ୍ପିଆନ ଫ୍ରାନ୍‍ସକୁ ୩୮ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୬୦ କୋଟି ଟଙ୍କା) ପ୍ରଦାନ କରାଯାଇଥିବାବେଳେ କ୍ରୋଏସିଆକୁ ୨୮ ନିୟୁତ ଡଲାର (୧୯୧ କୋଟି) ମିଳିଛି।

ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କ୍ରୋଏସିଆ ଅଧିନାୟକ ଲୁକା ମୋଡ୍ରିକ୍‌ଙ୍କୁ ଗୋଲଡେନ୍‌ ବଲ୍‌ ମିଳିଛି। ସେହିପରି ସର୍ବାଧିକ ୬ଟି ଗୋଲ୍‌ ଦେଇଥିବା ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌ଙ୍କୁ ଗୋଳଡେନ୍‌ ବୁଟ୍‌, ଶ୍ରେଷ୍ଠ ଗୋଲ୍ ରକ୍ଷକ ଭାବେ ବେଲଜିୟମ୍‌ର ଥିବଟ୍‌ କୋର୍ଟିୟସ୍‌ଙ୍କୁ ଗୋଲ୍‌ଡେନ୍‌ ଗ୍ଲୋଭ୍‌ସ ଦିଆଯାଇଛି। ସ୍ପେନକୁ ଶ୍ରେଷ୍ଠ ଦଳଗତ ପୁରସ୍କାର ଓ ଫ୍ରାନ୍ସର ଏମ୍‌ବାପେଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।

Comment