ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ରାନ୍ସର ଜାତୀୟ ଫୁଟବଲ୍ ଦଳରେ ଆଫ୍ରିକୀୟ ବଂଶୋଦ୍ଭବ ଖେଳାଳିଙ୍କ ପ୍ରାଧାନ୍ୟ।

ଫ୍ରାନ୍ସ ବିଶ୍ଵକପ୍ ଚାମ୍ପିଅନ ହେଲା ସିନା, କିନ୍ତୁ ଏଥିପାଇଁ ସେହି ଦେଶ ସହ ଆଫ୍ରିକାର କିଛି ଦେଶ ମଧ୍ୟ ବେଶ୍ ଗର୍ବ ଅନୁଭବ କରୁଥିବେ।

ଏଥର ଋଷିଆ ବିଶ୍ଵକପ୍‌ରେ ଆଫ୍ରିକୀୟ ଦେଶଗୁଡିକର ପ୍ରଦର୍ଶନ ନିରାଶାଜନକ ରହିଛି। ବିଶ୍ଵକପ୍‌ରେ ଭାଗ ନେଇଥିବା ଆଫ୍ରିକୀୟ ଦେଶମଧ୍ୟରୁ  କେହି ଦ୍ଵିତୀୟ ରାଉଣ୍ଡ୍‌କୁ ମଧ୍ୟ ଯାଇ ପାରିନଥିଲେ। ହେଲେ ଏହି ନିରାଶାକୁ ଦୂର କରିପାରିଛି ଫ୍ରାନ୍ସ। କେମିତି? କାରଣ ଚାମ୍ପିଅନ ଦଳରେ ଏଥର ୧୪ ଖେଳାଳି ଥିଲେ ଆଫ୍ରିକୀୟ ବଂଶୋଦ୍ଭବ। ତେଣୁ ବିଶ୍ଵକପ୍ ଫାଇନାଲ୍‌ରେ ଯଦି ସମଗ୍ର ଆଫ୍ରିକା ଫ୍ରାନ୍ସର ବିଜୟ କାମନା କରିଥିବେ, ତେବେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ।

ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ଫ୍ରାନ୍ସର ଦୁଇ ଆଫ୍ରିକୀୟ ଖେଳାଳି ଗୋଲ୍ ସ୍କୋର କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପଲ୍ ପୋଗ୍‌ବା ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଯୁବ ପୁରସ୍କାର ପାଇଥିବା କାୟଲିନ୍ ମାମ୍ବାପେଙ୍କ ପାଇଁ ଆଫ୍ରିକା ମହାଦେଶ ବେଶ୍ ଗର୍ବ ଅନୁଭବ କରିଥିବେ ନିଶ୍ଚୟ। କେବଳ ପୋଗ୍‌ବା ବା ମାମ୍ବାପେ ନୁହନ୍ତି, ଆଫ୍ରିକୀୟ ବଂଶୋଦ୍ଭୋବ ଅନ୍ୟ ଖେଳାଳିମାନେ ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଫ୍ରାନ୍ସର ଜାତୀୟ ଫୁଟବଲ୍ ଦଳରେ ଆଫ୍ରିକୀୟ ବଂଶୋଦ୍ଭବ ଖେଳାଳିଙ୍କ ପ୍ରାଧାନ୍ୟ ସବୁବେଳେ ରହିଆସିଛି, ଯାହା କି ସେ ଦେଶର ବିବିଧ ସଂସ୍କୃତିର ପରିପ୍ରକାଶ କରେ। କହିବାକୁ ଗଲେ ଗତ କେଇ ବର୍ଷ ଧରି ଆଫ୍ରିକୀୟ ପ୍ରତିଭାମାନେ ହିଁ ଫ୍ରାନ୍ସ ଫୁଟବଲ୍‌କୁ ସମର୍ଥନ କରିଛନ୍ତି।

ନିଜ ଦେଶରେ ୧୯୯୮ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ ପ୍ରଥମ ଥର ପାଇଁ ବିଶ୍ଵକପ୍ ଚାମ୍ପିଅନ ହୋଇଥିଲା। ଆଉ ସେହିଥର ମଧ୍ୟ ଦେଶକୁ ଚାମ୍ପିଅନ କରିବାରେ ଆଫ୍ରିକୀୟ ବଂଶୋଦ୍ଭବ ଖେଳାଳିଙ୍କ ଯୋଗଦାନ ଥିଲା।

ବ୍ରାଜିଲ୍ ବିପକ୍ଷ ଫାଇନାଲ୍‌ରେ ଜିନେଦିନ ଜିଦାନଙ୍କ ପ୍ରଦର୍ଶନ କିଏ ବା ଭୁଲିପାରିବ? ଜିଦାନ୍ ବି ହେଉଛନ୍ତି ଜଣେ ଆଫ୍ରିକୀୟ ବଂଶୋଦ୍ଭବ। ଜିଦାନଙ୍କ ବାପାମାଆ ହେଉଛନ୍ତି ଆଲଜେରିଆର ବାସିନ୍ଦା। ଯଦିଓ ଜିଦାନଙ୍କ ଜନ୍ମ ଫ୍ରାନ୍ସର ସହର ମାର୍ସେରେ ହୋଇଥିଲା।

ଆଫ୍ରିକାର ବିଭିନ୍ନ ଦେଶରେ ଜନ୍ମିତ ଅନେକ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟରେ ଫ୍ରାନ୍ସର ନାଗରିକତ୍ବ ଗ୍ରହଣ କରି ସେ ଜାତୀୟ ଫୁଟବଲ୍ ଦଳ ପାଇଁ ପ୍ରତିନିଧିତ୍ଵ କରିଛନ୍ତି। ଆଫ୍ରିକାର ଅନେକ ଦେଶ ଅତୀତରେ ଫ୍ରାନ୍ସର ଉପନିବେଶ ଥିଲେ। ତେଣୁ ବିଭିନ୍ନ କାରଣରୁ ସେ ସବୁ ଦେଶର ଲୋକେ ପରବର୍ତ୍ତୀ ସମୟରେ ଫ୍ରାନ୍ସ ଯାଇ ସେଠାକାର ନାଗରିକତ୍ଵ ଗ୍ରହଣ କରିବା ସହ ନିଜର ଫୁଟବଲ୍ ପ୍ରତିଭାର ପରିଚୟ ଦେଇଛନ୍ତି।

ଫ୍ରାନ୍ସର ବର୍ତ୍ତମାନ ଜାତୀୟ ଦଳର ଅଧିକାଂଶ ଆଫ୍ରିକୀୟ ବଂଶୋଦ୍ଭବ ଖେଳାଳି ଆଲଜେରିଆ, ଆଙ୍ଗୋଲା, କଙ୍ଗୋ, ମାଳୀ, ମାଉରିଟାନିଆ, ମରୋକ୍କୋ, ନାଇଜେରିଆ, ସେନେଗାଲ୍ ଓ ଟୋଗୋ ସହ ସଂପର୍କ ରହନ୍ତି।

ଫ୍ରାନ୍ସ ଓ ଆଫ୍ରିକୀୟ ଫୁଟବଲ୍‌ର ସଂପର୍କ ୮୦ ବର୍ଷର ପୁରୁଣା। ସେନେଗାଲ୍‌ର ରାଉଲ୍ ଡିଆନେ ୧୯୩୮ ବିଶ୍ଵକ୍‌ପରେ ଫ୍ରାନ୍ସ ପାଇଁ ଖେଳିଥିଲେ ଓ ପରେ ସେ ତତ୍କାଳୀନ ଫରାସୀ ବିଧାନସଭାରେ ସଦସ୍ୟ ହୋଇଥିଲେ। ସେନେଗାଲ୍ ଫ୍ରାନ୍ସଠାରୁ ସ୍ଵାଧୀନତା ହାସଲ କଲା ପରେ ଡିଆନେ ନିଜ ଦେଶର ଫୁଟବଲ ଦଳର କୋଚ୍ ହୋଇଥିଲେ।

୧୯୫୮ ମସିହା ବିକପରେ ସର୍ବାଧିକ ୧୩ଟି ଗୋଲ୍ ସ୍କୋର କରିଥିବା ଫ୍ରାନ୍ସର ଜଷ୍ଟ ଫୋଣ୍ଟେନ୍ ଥିଲେ ମରକ୍କୋରେ ଜନ୍ମ ଗ୍ରହଣ କରିଥିଲେ। କେବଳ ଫ୍ରାନ୍ସ ନୁହେଁ, ବେଲଜିୟମ, ଇଟାଲୀ ଡେନମାର୍କ, ଜର୍ମାନୀ ଓ ଇଂଲଣ୍ଡ ପରି ଟିମ୍‌ରେ ମଧ୍ୟ ଆଫ୍ରିକା ଜନ୍ମିତ ଓ ବଂଶୋଦ୍ଭବ ଖେଳାଳି ପ୍ରତିନିଧିତ୍ଵ କରିଆସିଛନ୍ତି।

Comment