ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ
  • ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ
  • ଟ୍ରକ ଧକ୍କା ଦେଲା
  • ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀ ମୃତ
  • ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ମୃତଦେହ ରଖି ରାସ୍ତା ଅବରୋଧ
  • ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକର ରାହାଞ୍ଜ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଲା ୧୦ ଚକିଆ ଟ୍ରକ। ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ରୁ ଅଧିକ ପିଲା ଗୁରୁତର ହୋଇଛନ୍ତି। ମୃତ ଏବଂ ଗୁରୁତର ଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର୍ ଏବଂ ହେଲ୍ପର ଫେରାର ହୋଇଯାଇଥିଲେ। ଗାଁ ଭିତରୁ ଟ୍ରକ ଚାଳକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଲୋକେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ଟ୍ରକଟିକୁ ଜାଳି ଦେଇଛନ୍ତି। ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମୃତ ଏବଂ ଆହତମାନେ ଭଦ୍ରକ ଜିଲ୍ଲା ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି।

୪ଟା ବେଳେ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହୋଇ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ୧୦ ଚକିଆ ଟ୍ରକ ପିଲାମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୬ରୁ ଅଧିକ ପିଲା ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତଦେହ ରଖି ସ୍ଥାନୀୟ ଲୋକେ ପ୍ରତିବାଦ କରୁଛନ୍ତି। ରାସ୍ତା ଅବରୋଧ ହୋଇଥିବାରୁ ଯାତାୟତ ଠପ୍ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭଦ୍ରକ ରାଣୀତାଲ ଅଞ୍ଚଳରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର।

ମିଳିଲା ମୃତକଙ୍କ ପରିଚୟ

ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ମୃତକଙ୍କର ପରିଚୟ ମିଳିଛି। ସେମାନେ ହେଲେ ପ୍ରିୟମ୍ବଦା ମହାନ୍ତି, ସତ୍ୟବ୍ରତ ବାରିକ, କଳ୍ପନା ଜେନା, ଶ୍ୱେତା ସାହୁ, ସୁକାନ୍ତ ସାହୁ। ଏମାନେ ସମସ୍ତେ ନବମ ଶ୍ରେଣୀରେ ପଢ଼ୁଥିଲେ। ଏମାନଙ୍କ ଘର ହାଟସାହି ଅଞ୍ଚଳରେ। ସ୍କୁଲରୁ ଛାତ୍ରଛାତ୍ରୀଙ୍କ ଘର ୧ କିଲୋମିଟର ଦୂର।

Comment