ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁଚାପ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଖାପାଖି ୧୨ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ସାରା ରାଜ୍ୟ ଜଳାର୍ଣ୍ଣବ ହୋଇଛି।

ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶନିବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ ବୈଠକ ଡକାଇଥିଲେ।

ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

“ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ଲଗୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ। ମାଲକାନଗିରିରେ ବନ୍ୟାରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। କଟକ ଓ ଭୁବନେଶ୍ୱରେ ପାଣିରେ ଫସିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବନ୍ୟା ଯୋଗୁ ଏଯାବତ୍ କାହାର ମୃତ୍ୟୁ ହୋଇନାହିଁ”, କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ।

ମଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ଟ୍ଵିନ ସିଟିରେ ମଧ୍ୟ ବନ୍ୟା ଜଳ ରୋକିବା ବିଏମସି ତତ୍ପର ହୋଇଉଠିଛି। ୧୩ଜଣ ନୋଡାଲ ଅଫିସରଙ୍କୁ ନେଇ ବିଏମସି ଏକ ଟିମ୍ ଗଠନ କରିଛି। ଏହି ଟିମରେ ୪୦ଜଣ ଇଞ୍ଜିନିୟର ରହିଥିବାବେଳେ। ବନ୍ୟାଜଳ ନିଷ୍କାସନ ପାଇଁ ୩୦ଟି ପମ୍ପ ଓ ୫ଟି ଜେସିବି ଲାଗିଛି। ଏଥିରେ ୨୦ଟି ଓଡ୍ରାଫ୍ ଟିମ୍ ମଧ୍ୟ ସାମିଲ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରରେ ୩୨୨ ମିଲିମିଟର ବର୍ଷା ହୋଇଥିବା ବେଳେ କଳାହାଣ୍ଡିରେ ୧୯୯ ମିମି ବର୍ଷା ହୋଇଛି।

ସେହିପରି ରାଜ୍ୟର ୧୬ଟି ବ୍ଲକ୍‌ରେ ୨୦୦ ମିିଲିମିଟରର ଅଧିକ ବର୍ଷା ହୋଇଥିବା ବେଳେ ୧୫ଟି ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ମଧ୍ୟର ବର୍ଷା ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବାରୁ ବର୍ଷା ଆହୁରି ୪୮ଘଣ୍ଟା ଲାଗି ରହିବ ବୋଲି କୁହାଯାଇଛି।

Comment