ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି

୨୦୧୫ ନବକଳେବର ଉପରେ ଆଧାରିତ ନୀଳମାଧବ ପଣ୍ଡାଙ୍କ ଏହି ଫିଲ୍ମ ଏବେ ଡିଜିଟାଲ ମିଡିଆରେ

  • ଓଡ଼ିଆ, ହିନ୍ଦୀ ଓ ଇଂଲିସ – ତିନୋଟି ଭାଷାରେ ପ୍ରସ୍ତୁତ ହୋ‍ଇଛି ଏହି ଫିଲ୍ମ
  • ଅମିତାଭ ବଚ୍ଚନଙ୍କ ସ୍ୱର ଇଂଲିସ ସଂସ୍କରଣର ମୁଖ୍ୟ ଆକର୍ଷଣ
  • ହିନ୍ଦୀରେ ଓପି ରାଠୋର ଏବଂ ଓଡ଼ିଆରେ କୁନା ତ୍ରିପାଠୀଙ୍କ ବର୍ଣ୍ଣନା
  • ଓଡ଼ିଶାଲାଇଭ ସୋସିଆଲ ମିଡିଆରେ ଅପଲୋଡ ହୋ‍ଇଛି ତିନୋଟିଯାକ ଭାଷାରେ ଫିଲ୍ମର ପୂର୍ଣ୍ଣାଙ୍ଗ ସଂସ୍କରଣ

‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋ‍ଇଲେ ମର‍ଇ’ – ଭାଗବତର ଏହି ଉକ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେହିପରି ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ମଣିଷ ଯେପରି ପୁରୁଣା ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଏ, ଆତ୍ମା ସେହିପରି ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ଶରୀରରେ ପ୍ରବେଶ କରିଥାଏ। ଆତ୍ମାର ଏହି ଘଟ ପରିବର୍ତ୍ତନ ପରି ଶ୍ରୀକ୍ଷେତ୍ରରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କର ମଧ୍ୟ ଘଟ ପରିବର୍ତ୍ତନ ଏକ ଅନନ୍ୟ ପରମ୍ପରା। ଏହି ନବକଳେବର ବିଷୟକୁ କ୍ୟାମେରାରେ ଆମୂଳଚୂଳ କଏଦ କରି ଦେଶବିଦେଶର ଦର୍ଶକମାନଙ୍କ ପାଇଁ ପ୍ରସ୍ତୁତ ହୋ‍ଇଛି ଡକୁମେଣ୍ଟାରି ଫିଲ୍ମ ‘ଗଡ୍‍ସ ଓନ୍‍ ପିପୁଲ’।

୨୦୧୫ ମସିହାରେ ଅନୁଷ୍ଠିତ ହୋ‍ଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର। ଏହା ୧୯ ବର୍ଷ ପରେ ପଡ଼ିଥିଲା। ପ୍ରତିଥର ନବକଳେବର ବେଳେ ଜଗନ୍ନାଥଙ୍କ ଭକ୍ତ, ଦେଶବିଦେଶର ପର୍ଯ୍ୟଟକ ଏବଂ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ବେଶ୍‍ ଆଗ୍ରହ ପ୍ରକାଶ ପାଇଥାଏ। ତେବେ ୨୦୧୫ ନବକଳେବର ସମୟରେ ଏହି ଉତ୍ସାହ ବହୁଗୁଣିତ ହୋ‍ଇଥିବାର ଦେଖିବାକୁ ମିଳିଥିଲା। ତେଣୁ ନବକଳେବର ଭଳି ଏକ ବିରଳ ବିଷୟର ଆମୂଳଚୂଳ ତଥା ବିସ୍ତୃତ ଭିଡିଓ ଡକୁମେଣ୍ଟେସନ ଥିଲା ଏକ ଆବଶ୍ୟକତା। ଏହି ଆବଶ୍ୟକତାକୁ ଅନେକାଂଶରେ ପୂରଣ କରିପାରିଛି  ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରସ୍ତୁତ ତଥା ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଗଡ୍‍ସ ଓନ୍‍ ପିପୁଲ’।

ଓଡ଼ିଆ, ହିନ୍ଦୀ ଏବଂ ଇଂଲିସ ତିନୋଟି ଭାଷାରେ ପ୍ରସ୍ତୁତ ଏହି ଡକୁମେଣ୍ଟାରି ଫିଲ୍ମକୁ ଦର୍ଶକମାନେ ଏବେ ଓଡ଼ିଶାଲାଇଭର ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲରେ ଦେଖିପାରିବେ। ଓଡ଼ିଶାଲାଇଭର ୟୁଟ୍ୟୁବ୍‍ ଚ୍ୟାନେଲରେ ତିନୋଟି ଯାକ ଫିଲ୍ମ ଅପଲୋଡ ହୋ‍ଇଥିବା ବେଳେ ଏହି ମିଡିଆର ଫେସବୁକ ପେଜରେ ‘ଗଡ୍‍ସ ଓନ୍‍ ପିପୁଲ’ର ଇଂଲିସ ସଂସ୍କରଣ ସ୍ଥାନ ପାଇଛି। ଏହି ଇଂଲିସ ସଂସ୍କରଣରେ ବଲିଉଡ ଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଚ୍ଛଦପଟ୍ଟ ବର୍ଣ୍ଣନା ଏକ ବିଶେଷ ଆକର୍ଷଣ ହୋ‍ଇଛି।

ଏହି ବୃତ୍ତଚିତ୍ରର ଏକ କ୍ଷୁଦ୍ର ସଂସ୍କରଣ ୨୦୧୬ ମସିହାରେ ଭୁବନେଶ୍ୱରଠାରେ ପ୍ରଦର୍ଶିତ ହୋ‍ଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତକାଳୀନ ରାଜ୍ୟପାଳ ଏବଂ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ସାମନାରେ ଏହି ପ୍ରିଭ୍ୟୁ ଆୟୋଜିତ ହୋ‍ଇଥିଲା। ବର୍ତ୍ତମାନ ୮୩ ମିନିଟର ସମ୍ପୂର୍ଣ୍ଣ ଫିଲ୍ମଟି ଦେଶବିଦେଶର ଦର୍ଶକମାନଙ୍କ ସୁବିଧା ପାଇଁ ସୋସିଆଲ ମିଡିଆରେ ଉପଲବ୍ଧ ହୋ‍ଇଛି।

‘ଗଡ୍‍ସ ଓନ୍‍ ପିପୁଲ’ର ସହଯୋଗୀ ପ୍ରଯୋଜକ ଅଛନ୍ତି ଅକ୍ଷୟ କୁମାର ପରିଜା। ସେହିପରି ଏହାର ସ୍କ୍ରିପ୍ଟ ଏବଂ ଯୁଗ୍ମ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍ଖଜିତ୍‍ ଦେ। ଏହାର ହିନ୍ଦୀ ସଂସ୍କରଣରେ ଓପି ରାଠୋର ଏବଂ ଓଡ଼ିଆ ସଂସ୍କରଣରେ କୁନା ତ୍ରିପାଠୀ ପ୍ରଚ୍ଛଦପଟ୍ଟ ବର୍ଣ୍ଣନା କାର୍ଯ୍ୟ କରିଛନ୍ତି। ଇନ୍ଦ୍ରନୀଲ ଲାହିରି ଏବଂ ସତ୍ୟଜିତ ମହାରଣା ଏହି ଫିଲ୍ମର କ୍ୟାମେରା ଦାୟିତ୍ୱ ସମ୍ପାଦନ କରିଛନ୍ତି।

‘ଗଡ୍‍ସ ଓନ୍‍ ପିପୁଲ’ ଓଡ଼ିଶା ପର୍ଯ୍ୟଟନ ବିଭାଗର ଏକ ବିଶେଷ ପ୍ରୋଜେକ୍ଟ। ଏହି ଯୋଜନାର ମାର୍ଗଦର୍ଶୀ ଥିଲେ ଡକ୍ଟର ସୁବାସ ପାଣି। ସେହିପରି ବୈଷୟିକ ପରାମର୍ଶ, ଗବେଷଣା ଏବଂ ଆଲେଖ୍ୟ ରଚନା ଦାୟିତ୍ୱ ନେଇଥିଲେ ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ଏହି ପୂର୍ଣ୍ଣାଙ୍ଗ ଫିଲ୍ମର ଅବଧି ୮୩ ମିନିଟ। ଏହା କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ସ୍ୱତନ୍ତ୍ର ସେଗମେଣ୍ଟରେ ମୁକ୍ତିଲାଭ କରିଥିଲା। ଫିଲ୍ମଟିକୁ ଦେଖିଲେ ଜଣେ ଦର୍ଶକ ନବକଳେବରର ବିଭିନ୍ନ କାର୍ଯ୍ୟକ୍ରମ ଓ ବିରଳ ଦୃଶ୍ୟ ମାଧ୍ୟମରେ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ସଂକ୍ଷେପ ପରିଚୟ ପାଇପାରିବେ।

‘ଗଡ୍‍ସ ଓନ୍‍ ପିପୁଲ’କୁ ସୋସିଆଲ ମିଡିଆ ମାଧ୍ୟମରେ ଦେଶବିଦେଶର ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରିଥିବାରୁ ଏହାର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓଡ଼ିଶାଲାଇଭକୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶାର ଏହି ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ଏହି ବିରଳ ସଂସ୍କୃତିର ପ୍ରସାର ହୋ‍ଇପାରିବ ବୋଲି ଫିଲ୍ମର ସହଯୋଗୀ ପ୍ରଯୋଜକ ଅକ୍ଷୟ କୁମାର ପରିଜା କହିଛନ୍ତି।

Comment