ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି। ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ସଜାଗ ରହିବାକୁ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷା ପୂର୍ବରୁ ଆବଶ୍ୟକୀୟ ବ୍ଲିଚିଂ ପାଉଡର, ସାଲାଇନ୍, ଆଣ୍ଟିବାୟୋଟିକ୍, ହାଲୋଜିନ୍ ବଟିକା ମହଜୁଦ ରଖିବାକୁ କୁହାଯାଇଛି।
ଜୁରୁରିକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଶନିବାରଠାରୁ ଜିଲ୍ଲାର ସବୁ କଣ୍ଟ୍ରୋଲ ରୁମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ଲଘୁଚାପକୁ ଦୃଷ୍ଟିରେ ରଖି ସମସ୍ତେ ସଜାଗ ରହିବାକୁ ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି।
ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ ଜିଲ୍ଲାରେ ୨୦ରୁ ୨୨ ତାରିଖ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


















