ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ଟି ପଞ୍ଚାୟତ ଅନ୍ତର୍ଗତ ୪୮୧ଟି ଗାଁ ପ୍ରଭାବିତ ହୋଇଛି। ବର୍ଷା ଛାଡ଼ିଲେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଥିବା ଗୁରୁବାର ଦିନ କହିଛନ୍ତି ସ୍ଵତନ୍ତ ରିଲିଫ କମିଶନର (ଏସଆରସି) ସତ୍ୟବ୍ରତ ସାହୁ।

ଏସଆରସି କହିଛନ୍ତି ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ସମ୍ଭାବନା ରହିଥିବାରୁ ୭ଟି ଜିଲ୍ଲାକୁ ବୁଧବାର ରାତିରେ ସତର୍କ ସୂଚନା ଜାରି କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ଏହି ଜିଲ୍ଲାଗୁଡ଼ିକ ଲାଗି ୨୩ ଓଡ୍ରାଫ, ୮ ଏନଡିଆରଏଫ ଏବଂ ୬୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି।

ମହାନଦୀ ମୁଣ୍ଡଳିରେ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ଏବଂ ଏଠାରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଥିବା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି।

ସେ ଆହୁରି କହିଛନ୍ତ ଯେ, ମୁଣ୍ଡଳିରୁ ପାଣି ଯିବାର ୧୨ ଘଣ୍ଟା ପରେ ୩ଟି ଜିଲ୍ଲ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାକୁ ପାଣି ପହଞ୍ଚିବ। ଏହି ୩ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ସମ୍ପୃକ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାକୁ ଲାଗିଛି। ବନ୍ୟା ସମ୍ଭାବନା ବଢ଼ିଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟ ପକ୍ଷରେ ପ୍ରବଳ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଥିବାବେଳେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Tags: #FloodSituation #FloodAlert #Odisha #SRC

Comment