ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଗୁରୁବାର ଦିନ ୨ଟି ଗେଟ ଖୋଲା ଯାଇଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆଉ ୧୦ଟି ଗେଟ ଖୋଲାଯିବ। ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟରେ ହୀରାକୁଦର ୫ଟି ଗେଟ୍ ଖୋଲାଯିବା ପରେ ସନ୍ଧ୍ୟା ୫ଟା ସୁଦ୍ଧା ଆଉ ୫ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ଗତ ଜୁଲାଇ ୨୩ ତାରିଖରେ ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯାଇଥିଲା। ୧୨ଟି ଗେଟ ଦେଇ ବନ୍ୟା ଜଳନିଷ୍କାସନ କରାଯାଉଥିଲା। ପାଣି କମିବା ପରେ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଜଳସ୍ତଳ ବଢ଼ିବାରୁ ଗୁରୁବାର ଦିନ ୨ଟି ଗେଟ୍ ଖୋଲାଯାଇଥିଲା।

“ବର୍ତ୍ତମାନ ବନ୍ୟାସ୍ଥିତି ନିୟନ୍ତ୍ରଣରେ ରହିଛି। କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ଘାଇ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକରେ ବାଲିବସ୍ତା ରଖାଯାଇଛି”, କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାହ୍ମଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଯାଜପୁରରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ମୁଣ୍ଡୁଳିରେ ୬ ଲକ୍ଷ ୯୭ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଖଇରିମାଳରେ ୩ଲକ୍ଷ ୪୦ହଜାର ଏବଂ ବରମୂଳରେ ୪ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଥିବାରୁ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନାହିଁ ବୋଲି ଆକଳନ କରାଯାଇଛି। ଏବେ ହୀରାକୁଦକୁ ୪ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଭାବିତ ଆଶଙ୍କା ଥିବା ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ୮ଟି ଏନଡିଆରଏଫ୍ ଓ ୧୩ଟି ଓଡ୍ରାଫ୍ ଟିମକୁ ସଜାଗ ରହିଥିବାବେଳେ ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ ମୁତୟନ ହୋଇଛନ୍ତି।

ରାଜ୍ୟରେ ବର୍ଷା ଏବଂ ବନ୍ୟା ସ୍ଥିତି ଯୋଗୁଁ ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼,ବରଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାର କୋରେଇ, ଯାଜପୁର, ବଞ୍ଝାରପୁର ଏବଂ ଦଶରଥପୁର ତଥା କେନ୍ଦ୍ରାପଡ଼ାର ୩ଟି ବ୍ଲକରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି।

Tags: #Hirakud #FloodSituation #HirakudGate #Odisha #FloodAlert

Comment