ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ। ଏହି ବ୍ଲକର ୧୦ରୁ ଅଧିକ ଗାଁରେ ବନ୍ୟାପାଣି ପସିଯାଇଛି। ଫଳରେ ପାଣିଘେରରେ ରହିଛନ୍ତି ଲୋକେ।
ମାଲକାନଗିରି: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଲଗାଣ ବର୍ଷା। ଏହି ବର୍ଷାରେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି। ପୋଲ ଉପରକୁ ବନ୍ୟା ଜଳ ଉଠି ଆସିବାରୁ ଯାତାୟତ ଠପ୍ ହୋଇଯାଇଛି। ଗାରିଆଗାଡ଼, କଲାବ, ସାବେରୀ ନଦୀ ପାର୍ଶ୍ୱରେ ଥିବା ୧୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଛ।
ସେହିପରି ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତ ଅଧିନ ସାରଙ୍ଗପାଲି, ଖଟଲାଗୁଡା, ମୁଣ୍ତାଗୁଡ଼ା, ମାକଡ଼ପାନି, ଲକଟିଗୁଡ଼ା, ମାଟିଗୁଡ଼ା, କାମାରଗୁଡ଼ାରେ ବନ୍ୟା ଜଳ ଗାଁ ଭିତରେ ପସିଯାଇଛି। ଆଣ୍ଠୁଏ ପାଣିରେ ଲୋକେ ଯାତାୟତ କରୁଥିବା ଦେଖିବାକୁ ମିଳିଛି।
ସାବେରୀ ନଦୀକୁ ଲାଗି ରହିଥିବା ଚାଷଜମି ମଧ୍ୟ ଜଳମଗ୍ନ ହୋଇଯାଇଛି। ମାଥିଲି ପଞ୍ଚାୟତ ଅଧିନ ଗାଙ୍ଗରାଜଗୁମ୍ମା ଏବଂ ଆମ୍ବାପଡ଼ାରେ ମଧ୍ୟ ଲୋକେ ପାଣିଘେରରେ ରହିଛନ୍ତି। ଗାରିଆଗାଡ ନଦୀର ବନ୍ୟା ଜଳ ଗାଁ ଭିତରେ ପଶିଯାଇ ଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି। ଖବରପାଇ ମାଥିଲି ବିଡିଓ ଆଶିଷ କୁମାର ଭୋଇ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ। ବ୍ଲକ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ପଞ୍ଚାୟତରେ ଥିବା ନଦୀ ପାର୍ଶ୍ୱ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଗାଙ୍ଗରାଜଗୁମ୍ମା ଗାଁରେ ପାଣିଘେରରେ ଥିବା ୧୨ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ଧଉଡ଼ାଗୁଡ଼ାସ୍ଥିତ ବନ୍ୟା ଆଶ୍ରୟ ସ୍ଥଳକୁ ଆଣିଥିଲେ।
ପାଙ୍ଗାମ ପୋଲ ଉପରେ ୨ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଫଳରେ ମାଲକାନଗିରି-ମାଥିଲି-ଜୟପୁର ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମହୁପଦର ପଞ୍ଚାୟତ ଅଧିନ ମାଡିମୁଣ୍ତା ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। କମାରପାଲି ପଞ୍ଚାୟତ ଅଧିନ ଚେକାବୁକା ନଦୀରେ ବନ୍ୟା ଜଳ ପ୍ରଭାବିତ ହେବାରୁ ଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛତିଶଗଡ ରାଜ୍ୟକୁ ଯୋଗାଯୋଗ ବନ୍ଦ ରହିଥିଲା।








ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ। ଏହି ବ୍ଲକର ୧୦ରୁ ଅଧିକ ଗାଁରେ ବନ୍ୟାପାଣି ପସିଯାଇଛି। ଫଳରେ ପାଣିଘେରରେ ରହିଛନ୍ତି ଲୋକେ।









