ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ମହିଳା ହକି ଖେଳାଳି ନମିତା ଟପ୍ପୋ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।

ଓଡ଼ିଆ ମହିଳା ହକି ତାରକା ତଥା ଭାରତୀୟ ହକି ଦଳର ମିଡ୍‌ ଫିଲ୍ଡର ନମିତା ଟପ୍ପୋଙ୍କ ବଡ଼ ସଫଳତା। ହକି କ୍ୟାରିୟରର ୧୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି ନମିତା। ଏହି ଅବସରରେ ନମିତାଙ୍କୁ ହକି ଇଣ୍ଡିଆ ତରଫରୁ ଅଭିନନ୍ଦନ ଜଣାଯାଇଛି।

ଶନିବାରଠାରୁ ଇଂଲଣ୍ଡରେ ଆରମ୍ଭ ହୋଇଥିବା ମହିଳା ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଆୟୋଜକ ଇଂଲଣ୍ଡ ବିପକ୍ଷରେ ନମିତା ପହିଆକୁ ଓହ୍ଲାଇଥିଲେ। ଏହି ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଛି।

୨୦୦୭ରେ ନମିତା ପ୍ରଥମେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ହାସଲ କରିଥିଲେ। ଘରୋଇ ପ୍ରତିଯୋଗିତାରେ ଜବରଦସ୍ତ ପ୍ରଦର୍ଶନ କରି ସେ ୨୦୧୧ରେ ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ହକି ଏସିଆ କପ୍‌ ଖେଳିବାକୁ ମନୋନୀତ ହୋଇଥିଲେ। ଏଥିରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା।

ଏହାପରେ ସେ ଆଛ ପଛକୁ ଫେରି ଚାହାନ୍ତି ନାହିଁ। ୨୦୧୨ରେ ସିନିୟର ଦଳ ପାଇଁ ପ୍ରଥମ ଥର ଖେଳିବାର ସୁଯୋଗ ହାସଲ କରିଥିଲେ ନମିତା ।

୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ଜୁନିୟର ବିଶ୍ୱକପ୍‌ରେ ଭାରତ ବ୍ରୋଞ୍ଜ୍‌ ପଦକ ଜିତିଥିଲା ଓ ନମିତା ଏହି ଦଳର ସଦସ୍ୟ ଥିଲେ। ଏହାପରଠାରୁ ନମିତା ନିୟମିତ ଭାବେ ଭାରତୀୟ ସିନିୟର ମହିଳା ଦଳ ପାଇଁ ଖେଳି ଆସୁଛନ୍ତି।

୨୦୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ୱାର୍ଲ୍ଡ ଲିଗ୍‌ ରାଉଣ୍ଡ ୨ ଟୁର୍ଣ୍ଣାମେଣ୍ଟରେ ଭାରତ ସ୍ଵର୍ଣ୍ଣ ପଦକ ଜିତିଥିଲା। ଏହାପରେ ୨୦୧୩ରେ ଖେଳାଯାଇଥିବା ତୃତୀୟ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ୨୦୧୩ରେ ଖେଳାଯାଇଥିବା ଅଷ୍ଟମ ଏସିଆ କପ୍‌, ୨୦୧୪ରେ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୪ରେ ଅନୁଷ୍ଠିତ ୧୭ତମ ଏସିଆନ ଗେମ୍ସ, ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଥିଲେ ନମିତା।

୨୦୧୭ରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ନବମ ଏସିଆ କପ୍‌ରେ ଭାରତ ରୌପ୍ୟ ପଦକ ଜିତିଥିଲା ଓ ନମିତା ଏହି ଦଳର ସଦସ୍ୟ ଥିଲେ।

“କ୍ୟାରିୟରର ୧୫୦ତମ ମ୍ୟାଚ ଖେଳିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ମୋ ପାଇଁ ଆରମ୍ଭ ମାତ୍ର। ଏବେ ମୋ ବୟସ ୨୩ ବର୍ଷ। ଆଗକୁ ଆହୁରି ଅଧିକ ମ୍ୟାଚ ଖେଳିବି। ଭାରତୀୟ ମହିଳା ହକି ଏବେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛି। ଆମକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଟ୍ରଫି ଜିତିବାକୁ ହେଲେ ଆମକୁ ଭଲ ପ୍ରଦର୍ଶନ କରିବାକୁ ହେବ”, କହିଛନ୍ତି ନମିତା

ନମିତାଙ୍କ ଏହି କୃତିତ୍ବରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହକି ଇଣ୍ଡିଆର ସାଧାରଣ ସମ୍ପାଦକ ମହମ୍ମଦ ମୁସ୍ତାକ ଅହମ୍ମଦ। ସେ କହିଛନ୍ତି, “ଭାରତ ପାଇଁ ନମିତା ୧୫୦ତମ ମ୍ୟାଚ୍‌ ଖେଳିଥିବାରୁ ନମିତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ଭାରତୀୟ ମିଡ୍‌ ଫିଲ୍ଡରେ ନମିତା ସ୍ଥିରତା ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ରକ୍ଷଣାତ୍ମକ ପ୍ରଦର୍ଶନକୁ ଆକ୍ରମଣାତ୍ମକରେ ପରିଣତ କରାଇବାରେ ନମିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ”।

ସେ ଆହୁରି ମଧ୍ୟ କହିଛନ୍ତି, “ଏପର୍ଯ୍ୟନ୍ତ ୬ ବର୍ଷ ଖେଳିସାରିଥିବା ନମିତା ବେଶ୍‌ ସଫଳ ରହି ଆସିଛନ୍ତି ଓ ସେ ଏକାଧିକ ପଦକ ଜିତିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗକୁ ଭାରତୀୟ ଦଳ ପାଇଁ ସେ ଅଧିକ ଭଲ ପ୍ରଦର୍ଶନ କରିବେ ଓ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ”।

Comment