ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି।
ଫୁଲୁଛି ମହାନଦୀ। ଗତ ଦୁଇ ଦିନର ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ରେକର୍ଡ ବର୍ଷା ହେତୁ ମହାନଦୀ ଫୁଲି ଉଠିଛି। ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ମହାନଦୀରେ କ୍ଷୁଦ୍ରରୁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି।
“ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି। ତେବେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ”, କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ।
ମହାନଦୀରେ ଦିନ ୧୦ଟା ସୁଦ୍ଧା ସେକେଣ୍ଡକୁ ୭ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା, ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୫ ଫୁଟ୍ ରହିଛି। ତେଣୁ ବନ୍ୟା ନିୟନ୍ତ୍ରଣ ଲାଗି ଏହି ଜଳ ନିଷ୍କାସିତ କରାଯିବ।
ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ। ଏଥିପାଇଁ ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦରକାର ହେଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁଠାରେ ନଦୀବନ୍ଧ ଦୁର୍ବଳ ଅଛି ସେଠାରେ ସଜାଗ ରହିବା ସହ ତଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବାକୁ କୁହାଯାଇଛି।
ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଛୁଇଁଛି। ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ରହିଛି ୧୭.୮୦ ମିଟର। ବୈତରଣୀର ଜଳ ପ୍ରବାହ ଯୋଗୁଁ ଭଣ୍ଡାରୀପୋଖରୀ ଅଞ୍ଚଳରେ ୮-୯ଟି ପଞ୍ଚାୟତ ପ୍ରଭାବିତ ହୋଇପାରେ ବୋଲି ଏସ୍ଆରସି କହିଛନ୍ତି।
ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ଜରୁରୀକାଳୀନ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି।


















