ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀରେ ପାଣି କମୁଥିବାରୁ ଆଜି ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଏବଂ ପରେ ଆଉ ୪ଟି ଗେଟ ବନ୍ଦ କରାଯାଇଛି। ବର୍ତ୍ତମାନ ୩୨ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ଏସଆରସି ପ୍ରଦୀପ ଜେନା ଗୁରୁବାର ଦିନ ବନ୍ୟା ସ୍ଥିତିର ସମୀକ୍ଷା କରିବା ସମୟରେ ହୀରାକୁଦ ଗେଟ ବନ୍ଦ ହେବା ନେଇ ସୂଚନା ଦେଇଥିଲେ। ଏଆରସିଙ୍କ ସୂଚନା ଅନୁସାରେ ଏବେ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୪ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଧୀରେ ଧୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି ବୋଲି ସେ କହିଛନ୍ତି।

ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ ଚାଲିଛି। ଆଜି ଅପରାହ୍ଣ ୩ଟା ସୁଦ୍ଧା ଜଳସ୍ତର ୬୨୪ ଫୁଟ ତଳକୁ ଆସିବାର ସମ୍ଭାବନା ରହିଛି। ଆସନ୍ତା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ମୁଣ୍ଡଳିରେ ଜଳସ୍ତର କମୁଛି-ବଢ଼ୁଛି। ଦିନ ୧୧ ସୁଦ୍ଧା ମୁଣ୍ଡଳିରେ ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ଖଇରମାଳ ତଳ ନଦୀଗୁଡ଼ିକରେ ଜମିଥିବା ବନ୍ୟା ଜଳ ବାହାରକୁ ଆସୁଥିବାରୁ ମୁଣ୍ଡଳିରେ ଜଳସ୍ତର ବୃଦ୍ଧି ପାଉଛି।  ତଳ ମୁଣ୍ଡରେ ପ୍ରାୟ ୨ ଫୁଟ ଜଳସ୍ତର କମିଛି। କିନ୍ତୁ ପୂର୍ବ ଭଳି କେବଳ କଣାସ ଅଞ୍ଚଳରେ ପାଣି ଛାଡ଼ିବାକୁ ସମୟ ଲାଗିବ ବୋଲି ଏସଆରସି କହିଛନ୍ତି।

ଘାଇକୁ ନେଇ ଏସଆରସି ପ୍ରଦୀପ ଜେନା କହିଥିଲେ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି। ଖୋର୍ଦ୍ଧା ରାଜୁଆରେ ଗୋଟିଏ ପୁରୀ ଜିଲ୍ଲାରେ ମକରା ଓ କୁଶଭଦ୍ରାରେ ଗୋଟିଏ ଗୋଟିଏ, କୁଜଙ୍ଗରେ ୨ଟି ଏବଂ ଲୁଣା ଘେରିବନ୍ଧରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସୁବିଧାର ସୁଯୋଗ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

ଏହା ସହିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଇଭେଟ ବୋଟର ବ୍ୟବହାର ନିମନ୍ତେ ଅନୁମତି ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ନିକଟରେ ଆତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।

ବର୍ଷା ଏବଂ ବନ୍ୟାକୁ ନେଇ ଲୋକଙ୍କୁ ବିଭ୍ରାନ୍ତିକର ସୂଚନା ନଦେବା ଲାଗି ନିବେଦନ କରିଛନ୍ତି ଏସଆରସି। ଏସଆରସିଙ୍କ ସୂଚନା ଅନୁଯାୟୀ ଆଜିଠାରୁ ୩ ଦିନ ୧୮, ୧୯ ଏବଂ ୨୦ ତାରିଖରେ ଲଘୁଚାପ ଯୋଗୁଁ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆଗକୁ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ। ଯଦି ସେହିପରି ପରିସ୍ଥିତି ଆସେ ତେବେ ସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ ତାରିଖରେ ବର୍ଷା ହେବ। ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ନେଇ ସରକାର ପ୍ରସ୍ତୁତ ଅଛନ୍ତି। ଅସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦକୁ ଅତି ବେଶିରେ ୫ ଲକ୍ଷ ୫ହଜାର ଇନଫ୍ଲୋ ରହିବ। ପରେ ଡ୍ୟାମ ୬୨୧କୁ ଆସିଯାଇଥିବ। ତଳକୁ ଅଧିକ ପାଣି ଛଡ଼ାଯିବ ନାହିଁ। ଧୀରେ ଧୀରେ ସ୍ଥିତିରେ ସୁଧାର ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି।

Tags: #FloodSituation #FloodAffectedAreas #SRC #PradeepJena #ReviewMeeting

Comment