ଓଡ଼ିଶାଲାଇଭ୍ ବ୍ୟୁରୋ

  • ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ସମୀକ୍ଷା ବୈଠକ
  • ଓଡ଼ିଶା ସମେତ ୧୦ଟି ମାଓ ପ୍ରଭାବିତ ରାଜ୍ୟରେ ପ୍ରତିନିଧି ବୈଠକରେ ସାମିଲ  
  • ବିଭିନ୍ନ ରାଜ୍ୟରେ ମାଓ ମୁକାବିଲାର ରଣନୀତି ଉପରେ ଆଲୋଚନା

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶୁକ୍ରବାର ଅନୁଷ୍ଠିତ ହୋଇଛି ମାଓ ମୁକାବିଲା ସମୀକ୍ଷା ବୈଠକ। ଏଥିରେ ଭାରତର ୧୦ଟି ମାଓ ପ୍ରଭାବିତ ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପୋଲିସ ମହାନିର୍ଦ୍ଦେଶ  ସୁନୀଲ ବଂଶଲ ସାମିଲ ହୋଇଛନ୍ତି।

ଏହି ବୈଠକରେ ବିଭିନ୍ନ ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ଉପରେ ସମୀକ୍ଷା କରାଯାଇଛି। ଏହାସହ ମାଓ ମୁକାବିଲାର ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଓଡ଼ିଶା ସମେତ ମହାରାଷ୍ଟ୍ର, ବିହାର, ତେଲଙ୍ଗନା, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ କେରଳର ପ୍ରତିନିଧି ସାମିଲ ହୋଇଛନ୍ତି।   

“ମାଓବାଦ ତଥା ନକ୍ସଲବାଦ ଭଳି ବାମପନ୍ଥୀ ଉଗ୍ରବାଦ ଆମ ସମାଜ ପାଇଁ ବହୁତ କ୍ଷତିକାରୀ। ଏହାର ଦମନ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ହେବ ଆମକୁ ଏଥିରେ ସଫଳତା ମଧ୍ୟ ମିଳିଛି। ମାଓ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସବୁ ପ୍ରକାର ସହାୟତା କରାଯାଉଛି”, କହିଛନ୍ତି ଅମିତ ଶାହ।

ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କାର୍ଯ୍ୟଶୈଳୀ ବେଶ୍ ପ୍ରଭାବଶାଳୀ ରହିଛି। ୨୦୧୫ ମସିହାରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମାଓ ହିଂସା ପ୍ରାୟ ୩୦ ପ୍ରତିଶତ କମିଛି। ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ଭିତ୍ତିଭୂମିର ବିକାଶ ଓ ପୋଲିସର ଆଧୁନିକୀକରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ର ପ୍ରଶଂସା କରିଛି।   

ଏହି ବୈଠକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ଉପସ୍ଥିତ ରାଜ୍ୟର ଗୃହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ପରାମିଲିଟାରୀ ଫୋର୍ସର ମୁଖ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।  

Tags: #LeftWingExtremism #ReviewMeeting #CentralHomeMinistry #AmitShah #Odisha #India

Comment